odisha

କଣ୍ଟା ଲାଗିଲା ମନରେ, ଫାଇନ ଗଣିବେ ଥାନାରେ, ଗାଡ଼ି ଟାଙ୍କି ଉପରେ ବସି ରିଲସ କରି ଏବେ ଫସିଛନ୍ତି ଦମ୍ପତି

Spread the love

ଯୁବତୀଜଣକ ପବନରେ ଚୁନରୀ ଉଡ଼େଇବା ପାଇଁ ସିଧା ସ୍ୱାମୀଙ୍କ ଗାଡ଼ି ଟାଙ୍କି ଉପରେ ବସିପଡିଛନ୍ତି । ତେଲ ଟାଙ୍କି ଉପରେ ବସି ପତ୍ନୀ ରୋମାଣ୍ଟିକ ମୂଡ଼ରେ ସୁଟିଂ କରୁଥିଲେ ଏବଂ ସ୍ୱାମୀ ଗାଡି ଚଳାଉଥିଲେ । ରିଲସ ସୁଟିଂ ସାରି ଘରକୁ ଫେରିବା ବାଟରେ ଆସିଲା ମେସେଜ ୧୬ ହଜାର ଟଙ୍କା ଫାଇନ ଦେବାକୁ ପଡିବ | ମେସେଜରେ ଲେଖା ଆସିଥିଲା । ସ୍ୱାମୀଙ୍କ ଅକଲଗୁଡ଼ୁମ, ସ୍ତ୍ରୀ ମନ ରଖି ଗାଡ଼ି ଟାଙ୍କି ଉପରେ ବସେଇଥିଲେ ଏବେ ପକେଟ ଫାଙ୍କା ହେଇଯିବ ।

ପ୍ରକୃତରେ ଏହି ଦମ୍ପତ୍ତି ରିଲସ କରିବାକୁ ଯାଇ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଛନ୍ତି । ନା ମୁଣ୍ଡରେ ହେଲମେଟ ଥିଲା ନା ଗାଡି ଚାଳନାର ତରିକା ଠିକ ଥିଲା, ସେଥିପାଇଁ ତ ଏବେ ଯୁବକଙ୍କୁ ଗଣିବାକୁ ପଡିବ ୧୬ ହଜାର ଟଙ୍କାର ଜରିମାନା । ପରିବହନ ବିଭାଗ ପକ୍ଷରୁ ପଠାଯାଇଥିବା ନୋଟିସରେ ଉଲ୍ଲେଖ ଅଛି ଯେ ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ ହଜାର, ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ୧୦ ହଜାର, ହେଲମେଟ ପିନ୍ଧିନଥିବାରୁ ୧ ହଜାର ଜରିମାନା ଦେବେ । କଟକ ଧାଇପୁରର ଏହି ଯୁବକ ଓ ତାଙ୍କ ପତ୍ନୀ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ରିଲସ କରୁଥିବାବେଳେ ଏହା ଭାଇରାଲ ହୋଇଥିଲା । ଭିଡିଓକୁ ନେଇ କିଛି ୟୁଜର୍ସ ଟ୍ରାଫିକ ନିୟମ ଭଙ୍ଗ ନେଇ କଟକ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ । ଏହାପରେ ଜିଲ୍ଲାପାଳ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଆରଟିଓ ପକ୍ଷରୁ ୧୬ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ସମ୍ବଲପୁରରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ସ୍କୁଟର୍‌ରେ ୨ କି ୩ କି ୪ ଜଣ ନୁହେଁ, ବସିଛନ୍ତି ୭ ଜଣ ଯୁବକ । ପରସ୍ପର ଉପରେ ଲଦାଲଦି ହୋଇ ୭ ଜଣ ଅତି ବିପଜ୍ଜନକ ଭାବେ ଗାଡ଼ିରେ ଯାଉଛନ୍ତି । ସେମାନେ ଜାଣିଶୁଣି ମଜା ନେବା ପାଇଁ ଏଭଳି କାଣ୍ଡ କରୁଥିବା ଭାଇରାଲ୍ ହୋଇଥିବା ଏକ ଭିଡିଓରୁ ଜଣାପଡ଼ୁଛି । ରାତିବେଳେ ସୁଟିଂ କରା ଯାଇଥିବା ଏହି ଘଟଣାଟି ସମ୍ବଲପୁର ମୋତିଝରଣ ଅଞ୍ଚଳର ବୋଲି କୁହାଯାଉଛି । ତେବେ ନମ୍ବର ଅସଲି ନା ନକଲି ଓ ଭିଡିଓଟି କେଉଁଦିନ କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଏଭଳି ଭିଡିଓ ପୋଲିସ ପାଈଁ ଏକ ଚେଲେଞ୍ଜ ହୋଇ ଯାଇଛି । ଏହି ଯୁବକ ମାନେ ଏପରି କରିବା ଦ୍ୱାରା ଟ୍ରାଫିକ ର ଧଜିୟା ଉଡାଇଦେଇଛନ୍ତି ।

ଏହି ଦୁଇଟି ଘଟଣା ଆଜିର ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଏଭଳି କିଛି କାଣ୍ଡ ଜାରିବା ପୂର୍ବରୁ ଥରେ ଏସବୁ ବିଷୟରେ ଚିନ୍ତା କରନ୍ତୁ । ରିଲସ କରିବା ଆପଣଙ୍କ ବ୍ୟକ୍ତିଗତ ପସନ୍ଦ ହୋଇପାରେ ଅବା ଆପଣଙ୍କ ଗାଡ଼ିକୁ ଆପଣଙ୍କ ଅନୁସାରେ ଚଲାନ୍ତୁ ମନା ନାହିଁ କିନ୍ତୁ ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କଲେ ଆପଣ ତ ଅସୁବିଧାରେ ପଡିବେ ତା’ ସହିତ ଅନ୍ୟକୁ ବିପଦରେ ପକାଇବେ । ତେଣୁ ଏସବୁ ପ୍ରତି ଟିକେ ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *