ଜଗତସିଂହ ପୁର ରେ ବ୍ୟାପିଲା ଜଣ୍ଡିସ ଆତଙ୍କ !
ଜଗତସିଂହପୁର: ଜଣ୍ଡିସରେ ୫୦ ଆକ୍ରାନ୍ତ । ଚିକିତ୍ସା ଅବହେଳାରୁ ଲୋକେ ଆକ୍ରାନ୍ତ ହେଉଥିବା ଅଭିଯୋଗ । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ପୂରଣ ପଞ୍ଚାୟତ ଦଣ୍ଡାସାହି ଲୋକେ ଏହି ଅଭିଯୋଗ ଆଣିଛନ୍ତି ।
ଜଗତସିଂହପୁର ଜ଼ିଲ୍ଲାର ବିରିଡି ବ୍ଲକ୍ ଅନ୍ତର୍ଗତ ପୂରଣ ପଞ୍ଚାୟତ କମଲପୁର ଗ୍ରାମ ଦଣ୍ଡାସାହିର ଲୋକମାନେ ଜଣ୍ଡିସ ଆକ୍ରାନ୍ତ । ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖେଳିଗଲାଣି ଭୟର ବାତାବରଣ । ଲୋକଙ୍କ ମଧ୍ୟରେ ଜଣ୍ଡିସର ଲକ୍ଷଣ ଜାଣିବା ପରେ ସ୍ଥାନୀୟ ଜନପ୍ରତିନିଧି ବିଧାୟକ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ । ଖବର ପାଇ ଜଣ୍ଡିସ୍ ଲକ୍ଷଣ ଥିବା ଲୋକଙ୍କଠାରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗ୍ରାମରେ ୭ ଜଣ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିବା ବେଳେ ଗ୍ରାମବାସୀମାନେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରୁ ୫୦ ଜଣ ହେବେ ବୋଲି ଅଭିଯୋଗ କରିଛନ୍ତି ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଠିକ ଭାବେ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଏହାପରେ ସ୍ଥାନୀୟ ବିଧାୟକ ଡକ୍ଟର ରମାକାନ୍ତ ଭୋଇ ଗ୍ରାମକୁ ଯାଇ ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ।
ଆକ୍ରାନ୍ତ ଦଣ୍ଡାସାହି ଗ୍ରାମରେ ୧୨ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିଲା । ଏଥି ମଧ୍ୟରୁ ୭ ଜଣଙ୍କ ଜଣ୍ଡିସ ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଛି । ଏ ସମ୍ପର୍କରେ ବିରିଡି ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରର ଅଧିକାରୀ ଡ଼ଃ ଲୋକନାଥ ସାହୁ ସୂଚନା ଦେଇଛନ୍ତି । ପୁର୍ନବାର ଆଉ ୭ ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଦୂଷିତ ପାଣି ଯୋଗୁଁ ଏହି ରୋଗ ବ୍ୟାପିଥିବା ପ୍ରାଥମିକ ଆକଳନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଟିମ୍ ଉପସ୍ଥିତ ରହି ଆବଶ୍ୟକ ଚିକିତ୍ସା କରୁଥିବା ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।
ଲୋକଙ୍କ ଘରେ ଥିବା କୂଅ ଓ ନଳକୂଅକୁ ବିଶୋଧନ କରାଯାଇଛି । କୌଣସି ପରିସ୍ଥିତିରେ ଭୟଭୀତ ନ ହେବାକୁ ସ୍ୱାସ୍ଥ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ଏହି ପରିପେକ୍ଷିରେ ତୀର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଦଣ୍ଡାସାହିରେ ପହଞ୍ଚି ରୋଗୀଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ଓ RWSS ବିଭାଗର ଗ୍ରାମରେ ବିଶୁଦ୍ଧ ଜଳ ଯୋଗାଣରେ ଅବହେଳା ନେଇ ବିରକ୍ତ ପ୍ରକାଶ କରିବା ସହ RWSS ର ଏ ଅବହେଳା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ଏଥିସହ ସ୍ୱାସ୍ଥ ବିଭାଗର ଜଣ୍ଡିସ ନିରାକରଣ କ୍ଷେତ୍ରରେ ପଦକ୍ଷେପକୁ ପ୍ରଶଂସା କରିବା ସହିତ ସ୍ୱାସ୍ଥ୍ୟ ବିଭାଗକୁ ଜଣ୍ଡିସ ରୋକିବା କ୍ଷେତ୍ରରେ ଆହୁରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଜଗତସିଂହପୁର ସିଡିଏମଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ଗ୍ରାମ ନିକଟରେ ଏକ କୁକୁଡ଼ା ହେଚେରୀରୁ ଆବର୍ଜନା ନିର୍ଗତ ହୋଇ ଗ୍ରାମରେ ଥିବା ପୋଖରୀ ଓ ପାନୀୟଜଳରେ ମିଶୁଛି । ଏହାଦ୍ୱାରା ଦୃସିତ ପାନୀୟ ଜଳ ପିଇ ଲୋକମାନେ ଜଣ୍ଡିସ ସହ ଅନ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାଦ୍ୱାରା ଗାଁରେ ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହୋଇଛି । ଏହି ଗ୍ରାମରେ କେବଳ ଜଣ୍ଡିସ ଆକ୍ରାନ୍ତ ବ୍ୟାପିବା ସହ ଆଖପାଖ ଗ୍ରାମରେ ବ୍ୟାପିବାର ଆଶଙ୍ଖା ସୃଷ୍ଟି ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମାଧାନର ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

