ଝରଣା ମଝିରେ ଅଛନ୍ତି ମହାଦେବ
ବଲାଙ୍ଗିର: ଜଳ ମହାଦେବ । ଜଳ ଭିତରେ ମହାଦେବ ବିଦ୍ୟମାନ ଥିବାରୁ ଭକ୍ତମାନେ ତାଙ୍କୁ ଜଳ ମହାଦେବ ଭାବେ ପୂଜାର୍ଚ୍ଚନା କରି ଆସୁଛନ୍ତି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗ୍ରାମପଞ୍ଚାୟତର କନ୍ଦରାଭଟା ଗାଁ ନିକଟସ୍ଥ ଗନ୍ଧମାର୍ଦନ ପାହାଡ଼ ପାଦଦେଶରେ ଥିବା ଝରଣା ମଝିଗର୍ତ୍ତରେ ଅଛନ୍ତି ମହାଦେବ । ଗର୍ତ୍ତ ମଧ୍ୟରେ ହାତ ପୂରାଇ ସ୍ପର୍ଶ କଲେ ଅନୁଭବ କରିହୁଏ । ସମସ୍ତ ଭକ୍ତଙ୍କୁ ଦର୍ଶନ କରିବା ସୌଭାଗ୍ୟ ମିଳେନାହିଁ । କନ୍ଦରାଭଟା ଗାଁର ଆଦିବାସୀ କନ୍ଧ ଦମ୍ପତି ସବୁଦିନ କନ୍ଦା ଖୋଳିବା ପାଇଁ ଗନ୍ଧମାର୍ଦନ ପାହାଡ଼କୁ ଯାଇଥାନ୍ତି । ସବୁଦିନ ନିର୍ଦ୍ଦିଷ୍ଟ ଯାଗାରେ ଜଣେ ଲୋକଙ୍କୁ ଦେଖିଥାନ୍ତି । ମାତ୍ର ଲୋକଟି ଦେଖାଦେଇ ହଠାତ୍ ଅନ୍ତର୍ଦ୍ଧାନ ହୋଇଯାଉଥିଲେ । ନିଘଞ୍ଚ ଜଙ୍ଗଲରେ କାହାର ଉପସ୍ଥିତି ହୋଇପାରେ ବୋଲି କନ୍ଧ ଦମ୍ପତି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଦିନେ କୌତୁହଳ ବଶତଃ ଲୁଚି ଦେଖିଥିଲେ । ସେହି ବ୍ୟକ୍ତି ଜଣଙ୍କ ଝରଣା ମଧ୍ୟକୁ ପ୍ରବେଶ କରି ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ରାତିରେ କନ୍ଧ ଦମ୍ପତିଙ୍କୁ ସ୍ୱପ୍ନରେ ମହାଦେବ ତାଙ୍କର ସ୍ଥିତି ଜଣାଇଥିଲେ । ମହାଦେବଙ୍କ ନିର୍ଦେଶ ଅନୁସାରେ ସକାଳେ ଗର୍ତ୍ତ ମଧ୍ୟରେ ହାତ ପୂରାଇ ଠାକୁର ବିଦ୍ୟମାନ ଥିବା କନ୍ଧ ଦମ୍ପତି ଜାଣିବାକୁ ପାଇଥିଲେ । ସେହି ଦିନୁ ଶିବ ଶଙ୍କରଙ୍କୁ ଜଳ ମହାଦେବ ଭାବରେ ପୂଜା କରି ଆସୁଥିଲେ କନ୍ଧ ଦମ୍ପତି । ସମୟ କ୍ରମେ ତାଙ୍କ ବଂଶଧରମାନେ ଜଳ ମହାଦେବଙ୍କ ପୂଜା କରି ଆସୁଛନ୍ତି ।
୭୦ ଦଶକରେ ଅବିଭକ୍ତ ମଧ୍ୟପ୍ରଦେଶରୁ ଶ୍ୟାମ ଦାସ ନାମକ ଜଣେ ତାନ୍ତ୍ରିକ ସନ୍ନ୍ୟାସୀ କନ୍ଧ ପୂଜକ ମାନଙ୍କ ସହ ଜଳ ମହାଦେବଙ୍କୁ ଦର୍ଶନ କରିଥିଲେ । ସେ ଜଳ ମହାଦେବଙ୍କ ପାଇଁ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । ମନ୍ଦିର ତିଆରି ଅଧା ହୋଇଥିବା ବେଳେ ଶ୍ୟାମ ଦାସ ବାବାଙ୍କ ସର୍ପ ଆଘାତରେ ମୃତ୍ୟୁ ହୋଇଥିଲା । ମନ୍ଦିର ଅସମ୍ପୂର୍ଣ୍ଣ ରହିଲା । ପାଟଣାଗଡ଼ର ତତକାଳୀନ ପଟ୍ଟାୟତ ରାଜା ଅନଙ୍ଗ ଉଦୟ ସିଂଦେଓ ୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ତ୍ରିଲିଙ୍ଗେଶ୍ୱର ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । କିନ୍ତୁ ଶ୍ୟାମଦାସ ବାବାଙ୍କ ଦ୍ୱାରା ତିଆରି ମନ୍ଦିର ମଧ୍ୟ ସମ୍ପୂର୍ଣ୍ଣ ହୋଇ ଜଳ ମହାଦେବ ପୂଜା ପାଉଛନ୍ତି । ଝରଣାର କୂଳେ କୂଳେ ଏକ କିଲୋମିଟର ପାହାଡ଼ ରାସ୍ତାରେ ଗଲେ ଜଳ ମହାଦେବଙ୍କୁ ସ୍ପର୍ଶ କରି ଦର୍ଶନ କରିବା ସୁଯୋଗ ମିଳିଥାଏ । ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ୭ଟି ଝରଣାକୁ ସପ୍ତଗଙ୍ଗା ବୋଲି କୁହାଯାଏ । ସେହିପରି ଗୋଟିଏ ଝରଣା ମଧ୍ୟରେ ଅଛନ୍ତି ଜଳ ମହାଦେବ । ଯାହାଙ୍କ ମହିମା ଅପାର ।
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରୁ ୮୦ କିଲୋମିଟର, ପାଟଣାଗଡ଼ ଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ଜଳ ମହାଦେବ ପୀଠ । ଖପ୍ରାଖୋଲ ଠାରୁ ମହରାପଦର ଛକରୁ ଜଳ ମହାଦେବ ପୀଠକୁ ଯିବାକୁ ପଡିଥାଏ । ଅନ୍ୟପଟେ ହରିଶଙ୍କର ମନ୍ଦିର କଡରେ ଦକ୍ଷିଣକୁ ପ୍ରାୟ ୬ କିଲୋମିଟର କଚ୍ଚା ରାସ୍ତାରେ ଗଲେ ପଡେ ଜଳ ମହାଦେବଙ୍କ ପୀଠ । ଜଳ ମହାଦେବଙ୍କ ପୀଠକୁ ଯିବାପାଇଁ ପକ୍କା ରାସ୍ତା ନଥିଲେ ବି ସବୁବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।

