ବୈଷ୍ଣୋ ଦେବୀ ଯାଉଥିବା ବସ୍ ଖାଇକୁ ଖସିଲା, ଜଣେ ମୃତ, ୪୦ରୁ ଅଧିକ ଆହତ !
ଜମ୍ମୁ କଶ୍ମୀର କଟରାରେ ଥିବା ଶ୍ରୀ ବୈଷ୍ଣୋ ଦେବୀ ଯାଉଥିବା ଏକ ବସ୍ ଖାଇକୁ ଖସିପଡିଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ଜଣଙ୍କର ଜୀବନ ଚାଲିଯାଇଛି ।
ଖବର ମୁତାବକ, ଶାମ୍ବା ଜିଲ୍ଲାର ଜଟୱାଲରେ ବସ୍ ଟାୟାର ଫାଟିବା ଯୋଗୁଁ ବସଟି ୨୦ ଫୁଟ ଖାଇକୁ ଖସିପଡିଥିଲା । ଦୁର୍ଘଟଣାରେ ୪୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ବସଟି ଉତ୍ତର ପ୍ରଦେଶର ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ଯାଉଥିଲେ । ବସରେ ଅତିକମରେ ୬୫ରୁ ୭୦ ଯାତ୍ରୀ ଥିଲେ ।
ଗୁରୁତର ଯାତ୍ରୀଙ୍କୁ ଶାମ୍ବା ଜିଲ୍ଲାର ହସପିଟାଲରୁ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ବିଜୟପୁରକୁ ରେଫର କରାଯାଇଛି । ଦୁର୍ଘଟଣା ଜମ୍ମୁ ପଠାନକୋଟର ଜାତୀୟ ରାଜମାର୍ଗରେ ହୋଇଛି । ପୋଲିସ ଏହି ମାମଲା ଯାଞ୍ଚ ଆରମ୍ଭ କରିଛି ।
ଘଟଣାରେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲା ଦୁଃଖ ପ୍ରକାଶ କରିବା ସହିତ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକ୍ସରେ କହିଛନ୍ତି, ଘଟଣାରେ ଅତ୍ୟନ୍ତ ଦୁଖିତ । ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିବା ସହିତ ଯଥାସମ୍ଭବ ସହାୟତା କରିବାକୁ ଆଶ୍ବାସନା ଦେଇଛନ୍ତି ।

