ଟାରିଫ କୁ ନେଇ ପୁଣି ଭାରତ କୁ ଟାର୍ଗେଟ କଲେ ଆମେରିକା ର ରାଷ୍ଟ୍ରପତି !
ପୁଣି ଟାରିଫକୁ ନେଇ ଭାରତକୁ ଟାର୍ଗେଟ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତର ବାଣିଜ୍ୟ ନୀତିକୁ ଏକପାଖିଆ କହିଲେ ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ କହିଛନ୍ତି, ଆମେରିକାଠୁ ଅଧିକ ଶୁଳ୍କ ଆଦାୟ କରୁଥିଲା ଭାରତ । ଯାହା ବିଶ୍ବରେ ସର୍ବାଧିକ । ଆମେରିକା ଭାରତ ସହ ଅଧିକ ବାଣିଜ୍ୟ କରୁନଥିଲା । କିନ୍ତୁ ଭାରତ ଆମେରିକା ସହ ଅଧିକ ବାଣିଜ୍ୟ କରୁଥିଲା । ଭାରତ ତିଆରି କରୁଥିବା ସାମଗ୍ରୀକୁ ଆମେରିକା ପଠାଇ ଅଧିକ ଶୁଳ୍କ ଆଦାୟ କରୁଥିଲା । ଏପରିକି ଭାରତ ଆମେରିକାଠୁ ୧୦୦ ପ୍ରତିଶତ ଶୁଳ୍କ ଆଦାୟ କରୁଥିଲା ବୋଲି କହିଛନ୍ତି ଟ୍ରମ୍ପ ।
ଉଦାହରଣ ଦେଇ ଟ୍ରମ୍ପ କହିଛନ୍ତି ହାର୍ଲି-ଡାଭିଡସନ୍ ବାଇକ ଉପରେ ଭାରତ ୨୦୦ ପ୍ରତିଶତ ଟାରିଫ୍ ଲଗାଇଛି । ହାର୍ଲି-ଡାଭିଡସନ୍ ଭାରତ ଆସିବା ପରେ ବାଇକ କାରଖାନା ନିର୍ମାଣ କରିଛି । ତେଣୁ ଏବେ ଆଉ ଭାରତକୁ ଟାରିଫ୍ ଦେବାକୁ ପଡୁନାହିଁ । ଟ୍ରମ୍ପ ଆହୁରି କହିଛନ୍ତି ଯେ ଚୀନ, ମେକ୍ସିକୋ ଓ କାନାଡାର ଅନେକ କମ୍ପାନୀ ଆମେରିକା ଆସୁଛନ୍ତି । କାରଣ ସେମାନେ ଆମେରିକାରେ ରହିବାକୁ ପସନ୍ଦ କରୁଛନ୍ତି । ଟାରିଫ ସେମାନଙ୍କୁ ସୁରକ୍ଷା ଦେଉଛି । ଯେଉଁ କମ୍ପାନୀ ଆମେରିକାରେ କାର୍ ନିର୍ମାଣ କରୁଛନ୍ତି ସେମାନଙ୍କୁ କୌଣସି ଟାରିଫ୍ ଦେବାକୁ ପଡୁନାହିଁ ବୋଲି କହିଛନ୍ତି ଟ୍ରମ୍ପ ।

