ନୋଏଡା-ଗାଜିଆବାଦରେ ସ୍କୁଲ ବନ୍ଦ !
ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପାଣିପାଗ ବିଭାଗ ଚେତାବନୀ ଦେଖି, ନୈନିତାଲ, ଶିମଲା, ଚଣ୍ଡୀଗଡ, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗରରେ ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଖରାପ ପାଣିପାଗ ଯୋଗୁଁ ଦିଲ୍ଲୀରୁ ଲେହ ଯାଉଥିବା ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ଲେହରେ ମଧ୍ୟ ପାଗ ଖରାପ ରହିଛି । ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଦିଆଯାଇଛି । ଜମ୍ମୁ କଶ୍ମୀର, ଲାଦାଖ, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ ଇତ୍ୟାଦିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଦିଲ୍ଲୀ ଏନସିଆରରେ ଲଗାତାର ବର୍ଷା ଯୋଗୁଁ ରାସ୍ତା ପାଣିରେ ବୁଡ଼ି ରହିଛି । ଯାତାୟତ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି ଲୋକ । ତେଣୁ ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରିଛି । ଗୁରୁଗ୍ରାମରେ ପ୍ରବଳରୁ ପ୍ରବଳ ବର୍ଷା ହେବା କାରଣରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କିନ୍ତୁ ଏହାକୁ ନେଇ ଏଯାଏଁ ସ୍କୁଲ ପ୍ରଶାସନ କୌଣସି ଆଡଭାଇଜରୀ ଜାରି କରିନାହିଁ ।
ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଲଗାତାର ବର୍ଷା ଏବଂ ଭୂସ୍ଖଳନ ଭଳି ସ୍ଥିତି ଦେଖି ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ସେପ୍ଟେମ୍ବରରେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ହିମାଚଳ ପ୍ରଦେଶ ଶିମଲାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଭରିବା ସହିତ ଭୂସ୍ଖଳନ ଘଟଣା ବଢିବାରେ ଲାଗିଛି ।
ସେହିପରି ଚଣ୍ଡୀଗଡରେ ମଧ୍ୟ ବର୍ଷାକୁ ଦେଖି ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରବଳ ବର୍ଷା କାରଣରୁ ସହରରେ ଟ୍ରାଫିକ ଜାମ୍ ସମସ୍ୟା ବଢିପାରେ । ତେଣୁ କାମ ନଥିଲେ ବାହାରକୁ ବାହାରିବାକୁ ମନା କରିଛି ପ୍ରଶାସନ ।

