ମୌଳିକ ସୁବିଧାରୁ ବଞ୍ଚିତ ଲାମିଠୁଟା ଗ୍ରାମବାସୀ !
ସରକାର ଗ୍ରାମଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଗାଁ ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ତିଆରି କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ଯୋଜନାରୁ ବଞ୍ଚିତ ରହୁଛି ଅନେକ ଗାଁ । ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁ ଗାଁରେ ଅପହଞ୍ଚ ହୋଇଛି ମୌଳିକ ସୁବିଧା । ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତ ଲାମିଠୁଟା ଗାଁ । ଗାଁରେ ରହିଛି ଅନେକ ସମସ୍ୟା । ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ପାଣି ଏ ସବୁ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁ ।
ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତର ଲାମିଠୁଟା ଗାଁରେ ପ୍ରାୟ ୨୫ ଘର ଆଦିବାସି ଓ ବିଭିନ୍ନ ସମ୍ପଦାୟ ଲୋକ ବସବାସ କରନ୍ତି । ଏହି ପରିବାର ସରକାରୀ ସୁବିଧା କଣ, ତାହା ଠିକରେ ଜାଣି ନାହାନ୍ତି । ଗାଁକୁ ଯିବାକୁ କୌଣସି ପକ୍କା ରାସ୍ତା ଟିଏ ମଧ୍ୟ ନାହିଁ । ଖାଲ ଢିପ ନାଳ ପାର ହୋଇ ୪ କିମି ଗଲେ ପକ୍କା ରାସ୍ତା ମିଳେ । ବିଶୁଦ୍ଧ ପାଣି ସାତ ସପନ, କୂଅ ପାଣି ସାହା ଭରଷା । ଗାଁରେ ଗୋଟିଏ ବି ନଳକୂପ ନାହିଁ । ସକାଳ ହେଲେ ଗାଁ ଲୋକଙ୍କୁ ପାଣି ଚିନ୍ତା ଘାରିଥାଏ । ଗାଁରେ କୌଣସି ଅଙ୍ଗନବାଡି କିମ୍ବା ସ୍କୁଲ ନାହିଁ । ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା କୁନିକୁନି ଶିଶୁମାନେ ୩ କିମି ପାହାଡ଼ ତଳକୁ ଯାଇ ନଦୀ ପାର ହୋଇ ସ୍କୁଲ ଯାଇଥାନ୍ତି । ବର୍ଷା ଦିନରେ ରାସ୍ତା ଠିକ ନଥିବା ଯୋଗୁ ସ୍କୁଲ ଯାଆନ୍ତି ନାହିଁ ଶିଶୁମାନେ । ଅଙ୍ଗନବାଡ଼ି ସେଣ୍ଟର ନଥିବା ଯୋଗୁ ଗର୍ଭବତୀ ମହିଳା ଏବଂ ଶିଶୁମାନେ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି । ଗର୍ଭବତୀ ମହିଳାମାନେ ଯାହା ସବୁ ସୁବିଧା ପାଇବା କଥା ତାହା ପାଇ ପାରୁନାହାନ୍ତି । ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ଅନେକ ସମୟରେ ଗର୍ଭବତୀ ମହିଳା ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ଗାଁ ଲୋକେ ପେଟ ପାଟଣା ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି । ଜଙ୍ଗଲ ଘେରା ଗାଁରେ ବସବାସ କରୁଥିବା ଏହି ଲୋକ ମହୁଲ କେନ୍ଦୁପତ୍ର ସହ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାହା ବିକ୍ରି କରି ପରିବାର ଚଲାଉଛନ୍ତି । କେବେ କେମିତି କାମ ମିଳିଲେ ଦିନ ମଜୁରିଆ ଭାବେ କାମ କରନ୍ତି । ନହେଲେ ହାତ ବାନ୍ଧି ଘରେ ବସିବାକୁ ମଧ୍ୟ ପଡିଥାଏ । ଅନ୍ୟପଟେ ସବୁ ସମୟରେ ଜଙ୍ଗଲୀ ହାତୀ ଏବଂ ଅନ୍ୟ ପଶୁ ପାଇଁ ଭୟଭୀତ ରହିଥାନ୍ତି । ଗାଁ ଲୋକେ ଆଜି ପର୍ଯ୍ୟନ୍ତ ବିଜୁଳି ପାଇ ନାହାନ୍ତି । ଗାଁର ସମସ୍ୟା ନେଇ ଆମେ ବଲାଙ୍ଗିର ଜିଲ୍ଲାପାଳ ଙ୍କୁ ଏହି ଗାଁ ବିଷୟରେ ପଚାରି ଥିଲୁ, ସେ କହିଛନ୍ତି ଗଣମାଧ୍ୟମରୁ ଏ ଗାଁ ବିଷୟରେ ଜାଣିବାକୁ ପାଇଛୁ, ଏକ ଟିମ ସେହିଁ ଗାଁକୁ ପଠାଇବା ସହ ଗାଁକୁ ଯାଇ ତଦାରଖ କରିବା ପରେ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରାଯିବ ।
ଆଜିର 5ଜି ନେଟୱାର୍କ ଯୁଗରେ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନି । ସମସ୍ୟାକୁ ବିଭାଗୀୟ ଅଧିକାରୀ ଗୁରୁତ୍ବର ସହ ଗ୍ରହଣ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

