ବିକ୍ରି ହେଉଛି ପାଣି ମିଶା ପେଟ୍ରୋଲ !
ବାଲେଶ୍ୱର: ୫୦୦ ଶହ ଟଙ୍କା ଦେଇ ପାୱାର ତେଲ ପକେଇଲେ । ହେଲେ ଗାଡ଼ି ଟିକିଏ ଗଡିଛି କି ନାହିଁ ଷ୍ଟାର୍ଟ ବନ୍ଦ । ହଁ ଦର୍ଶକବନ୍ଧୁ, ବଜାରରେ ବିକ୍ରି ହେଉଛି ପାଣି ମିଶା ପେଟ୍ରୋଲ । ଏକଥା ଆମେ କହୁନାହୁଁ, ବରଂ ଖୋଦ ତେଲ ପକାଇଥିବା ଗ୍ରାହକ କହୁଛନ୍ତି । ବର୍ଷାଦିନେ ପେଟ୍ରୋଲ ପମ୍ପରୁ ଗାଡ଼ିରେ ପେଟ୍ରୋଲ ପକାଉଥିଲେ ହୋଇଯାଆନ୍ତୁ ସାବଧାନ । ନହେଲେ ଠକେଇର ସାମ୍ନା କରିବାକୁ ପଡ଼ିପାରେ । ଦେଖୁନାହାନ୍ତି ଏ ପ୍ଲାଷ୍ଟିକ ବୋତଲରେ ରଖାହୋଇଥିବା ପେଟ୍ରୋଲକୁ । ଏ ପେଟ୍ରୋଲ ଗାଡ଼ିରୁ ବାହାରିଛି । କାଣିଚାଏ ପେଟ୍ରୋଲକୁ ଆଉ ସବୁ ପାଣି । ଗାଡି ଗଡ଼ିବ କେମିତି । ବାପରେ ବାପ.. ଠକିବାର ଏ କି ପ୍ରକାର ଶୈଳୀ ।
ହଁ ଦର୍ଶକବନ୍ଧୁ, ବାଲେଶ୍ୱର ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଏବେ ଅପମିଶ୍ରିତ ପେଟ୍ରୋଲ ମିଳୁଥିବା ଅଭିଯୋଗ ହୋଇଛି । ବାଲେଶ୍ବର ସହର ଅଜିମାବାଦ ସ୍ଥିତ ଜଗନ୍ନାଥ ସର୍ଭିସ୍ ସେଣ୍ଟର ନାମକ ଏକ ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳୁଥିବାର ଅଭିଯୋଗ ଆସିଛି । ପେଟ୍ରୋଲ ପମ୍ପରେ ଅସଲି ପେଟ୍ରୋଲ ଦିଆଯିବା ପରିବର୍ତ୍ତେ ଗାଡ଼ିରେ ପାଣି ମିଶା ପେଟ୍ରୋଲ ଦିଆଯାଉଥିବା ଦୁଇ ଜଣ ଗ୍ରାହକ ଅଭିଯୋଗ କରିଛନ୍ତି । ଜଣେ ଗ୍ରାହକଙ୍କ କହିବା ଅନୁଯାୟୀ ପେଟ୍ରୋଲ ପମ୍ପରେ ୫୦୦ ଶହ ଟଙ୍କାରେ ପାୱାର ତେଲ ପକେଇବା ଥିବା ବେଳେ କିଛି ସମୟ ପରେ ଗାଡିଟି ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ପରେ ଗାଡିରୁ ପେଟ୍ରୋଲ କାଢ଼ିବା ପରେ ସେଥିରୁ ପାଣି ବାହାରି ଥିଲା ।
ଅନ୍ୟପଟେ ଅପମିଶ୍ରିତ ପେଟ୍ରୋଲ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପେଟ୍ରୋଲ ପମ୍ପ ମ୍ୟାନେଜର । ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ଲୋକଙ୍କ ଆଗରେ ପେଟ୍ରୋଲ ପମ୍ପ ର ଟ୍ୟାଙ୍କ ରୁ ପେଟ୍ରୋଲ କାଢି ପେଟ୍ରୋଲର ଗୁଣବତ୍ତା ମାପି ଲୋକଙ୍କୁ ଦେଖାଇଛନ୍ତି।
ଅନ୍ୟପଟେ ଅପମିଶ୍ରଣ ତେଲକୁ ଆଧାର କରି ଉଠିଥିବା ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ୍ ପାଇଁ ତଦନ୍ତ ହେବାର ଆବଶ୍ୟକ ରହିଛି ବୋଲି ସ୍ଥାନୀୟ ବାସିନ୍ଦା ଓ କିଛି ଗ୍ରାହକ ମତ ରଖିଛନ୍ତି ।

