ସିନେମାଘରକୁ ଆସିବ ସନି ଦେଓଲଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’
ଆସନ୍ତା ୧୧ ତାରିଖରେ ସିନେମାଘରକୁ ଆସିବ ସନି ଦେଓଲଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ । ଏଥିରେ ସନିଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଅମୀଷା ପଟେଲ । ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ୍ ଦେଖିବାକୁ ମଳୁଛି । ଫିଲ୍ମର ଟ୍ରେଲର୍କୁ ୨୪ ଘଣ୍ଟାରେ ୪.୧ କୋଟି ୟୁଜର୍ ଦେଖିଛନ୍ତି । ଫିଲ୍ମର ଆଡ୍ଭାନ୍ସ ଟିକେଟ୍ ବୁକିଂ ବି ଆରମ୍ଭ ହୋଇଯାଇଛି । ରିଲିଜ୍ ଦିନ ପାଇଁ ୯୦ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଲାଣି । ସେଇ ହିସାବରେ ରିଲିଜ୍ ପୂର୍ବରୁ ଫିଲ୍ମର ୨.୪୨ କୋଟି ଆୟ ହୋଇସାରିଛି । ଫିଲ୍ମ ରିଲିଜ୍କୁ ଆଉ ୫ ଦିନ ଅଛି । ଇତିମଧ୍ୟରେ ଆୟ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । ଦିଲ୍ଲୀରେ ସର୍ବାଧିକ ବୁକିଂ ହୋଇଛି । ଅନ୍ୟପକ୍ଷେ, ‘ଗଦର୨’ ତୁଳନାରେ ଅକ୍ଷୟ କୁମାର ଷ୍ଟାରର୍ ‘ଓଏମ୍ଜି-୨’ର ସ୍ଥିତି ଖରାପ।
ପ୍ରଥମ ଦିନ ପାଇଁ ମାତ୍ର ୫୫୦୦ ଟିକେଟ୍ ବିକ୍ରି ହୋଇଛି । ସେହି ହିସାବରେ ଫିଲ୍ମର ଅଗ୍ରୀମ ଆୟ ୪୨ ଲକ୍ଷ ହୋଇଛି । ୨୨ ବର୍ଷ ତଳେ ‘ଗଦର’ ମୁକ୍ତିଲାଭ କରିବା ସମୟରେ ଫିଲ୍ମ ‘ଲଗାନ୍’ ସହ ତା’ର ଟକ୍କର ହୋଇଥିଲା । ‘ଗଦର’କୁ ସିନେପ୍ରେମୀ ଖାସ୍ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ବକ୍ସ ଅଫିସ୍ ଆୟରେ ‘ଲଗାନ୍’କୁ ପଛରେ ପକାଇ ଏହା ରେକର୍ଡ କରିଥିଲା । ୨୨ ବର୍ଷ ପରେ ‘ଗଦର-୨’ ରିଲିଜ୍ରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଅକ୍ଷୟ କୁମାରଙ୍କ ‘ଓଏମ୍ଜି-୨’ ସହିତ ଏହାର ଟକ୍କର ହେବାକୁ ଯାଉଛି ।
Gadar 2
ତେବେ ଅନ୍ୟ ଫିଲ୍ମ ଅପେକ୍ଷା ଏ ଥର ‘ଗଦର-୨’ର ଖାସ୍ କ୍ରେଜ୍ ରହିଛି । ପ୍ରାରମ୍ଭିକ ଆକଳନରେ ଏହା ବହୁତ ଆଗରେ ଅଛି । ଦର୍ଶକ ୨୨ ବର୍ଷ ପରେ ତାରା ସିଂହଙ୍କୁ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି । ଫିଲ୍ମକୁ ସେନ୍ସର ବୋର୍ଡ ୟୁଏ ପ୍ରମାଣପତ୍ର ଦେଇଛି । ୧୦ଟି ସିନ୍ରେ କଇଁଚି ମଧ୍ୟ ଚଲେଇଛି । ଦଙ୍ଗା ସମୟରେ ହର-ହର ମହାଦେବ ନାରାକୁ ହଟାଇ ଦିଆଯାଇଛି ।

