ରାଜ୍ୟ

୨୭ ଓଡିଆ ଛାତ୍ରଛାତ୍ରୀଙ୍କୁ UAEରେ ମିଳିଲା ରୋଜଗାର: ସ୍କିଲ୍‌ଡ ଇନ୍ ଓଡ଼ିଶା

Spread the love

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୭ ଜଣ ଛାତ୍ରଛାତ୍ରୀ ସଂଯୁକ୍ତ ଆରବ ରାଷ୍ଟ୍ର ବା ୟୁଏଇର ଏକ ପ୍ରତିଷ୍ଠିତ କମ୍ପାନୀ ଏମରିଲରେ କାମ କରିବା ଲାଗି ସୁଯୋଗ ପାଇଛନ୍ତି। ଶନିବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରଠାରେ କମ୍ପାନି ପକ୍ଷରୁ ହୋଇଥିବା ସ୍ୱତନ୍ତ୍ର ପ୍ଲେସ୍‌ମେଣ୍ଟ ଇଣ୍ଟରଭିଉ ମାଧ୍ୟମରେ ଏହି ପ୍ରାର୍ଥୀମାନେ ମନୋନୀତ ହୋଇଛନ୍ତି। ନିଯୁକ୍ତିପତ୍ର ପାଇଥିବା ୨୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ଅଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଜରିଆରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସମ୍ଭାବନା ବୃଦ୍ଧି ଲାଗି ଯେଉଁ ଅଭିଯାନ ଚଳାଇଛନ୍ତି, ତାହାର ସୁଫଳ ଏବେ ଆମକୁ ମିଳୁଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ସିଲେକ୍ସନ କାର୍ଯ୍ୟକ୍ରମ ଚାଲିଛି। ଏହି କ୍ରମରେ ଶନିବାର ଦିନ ହୋଇଥିବା ସାକ୍ଷାତକାର ମାଧ୍ୟମରେ ୟୁଏଇର ଏମ୍‌ରିଲ୍ କମ୍ପାନିରେ ୨୭ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌ରୁ ୧୧ ଜଣ, ଇଲେକ୍ଟ୍ରିକାଲ ଟେକ୍‌ନୋଲୋଜିରୁ ୮ ଜଣ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ୍‌ରୁ ୨ ଜଣ ଏବଂ ମେକାଟ୍ରୋନିକ୍ସରୁ ୪ ଜଣ ରହିଛନ୍ତି। ନିକଟରେ ସିଙ୍ଗାପୁରରେ ପେଡ୍ ଇଣ୍ଟର୍ଣ୍ଣସିପ୍ ସାରି ଫେରିଥିବା ୨ ଜଣ ପ୍ରାର୍ଥୀଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ମିଳିଛି।

ଗତ କିଛିଦିନ ଧରି ଦେଶବିଦେଶର ବିଭିନ୍ନ କମ୍ପାନି କ୍ୟାମ୍ପସ ସିଲେକ୍ସନ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସୁଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ନିକଟରେ ଟାଟା ଷ୍ଟିଲ୍‌ରେ ୪୫ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ବିଷୟରୁ ୨୬ ଜଣ ଓ ଇଲେକ୍ଟ୍ରିକାଲ ଟେକ୍‌ନୋଲୋଜି ବିଷୟରୁ ୧୯ ଜଣ ରହିଛନ୍ତି। ସେହିପରି ଟାଟା ଗ୍ରୁପ୍‌ର ଆଇଏଚ୍‌ସିଏଲ୍ କମ୍ପାନି ବିଭିନ୍ନ ପଦବୀ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରର ୧୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେଇଛି।

ଏହାଛଡ଼ା ଆର୍ସେଲର ମିତ୍ତଲ ବିଶ୍ୱ ଦକ୍ଷତା କେନ୍ଦ୍ରର ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ବିଷୟରୁ ୯ ଜଣ ଓ ଇଲେକ୍ଟ୍ରିକାଲ ଟେକ୍‌ନୋଲୋଜିରୁ ୮ ଜଣଙ୍କୁ ମିଶାଇ ମୋଟ ୧୭ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେଇଛି। ଅନ୍ୟମାନଙ୍କ ମଧ୍ୟରେ ସ୍ନାଇଡର କମ୍ପାନିରେ ଜଣେ, ଟେକମେକରେ ୪ ଜଣ, ଏସଏମଏସ୍ ଗ୍ରୁପ୍‌ରେ ଜଣେ ଏବଂ ହୋଣ୍ଡା ଗ୍ରୁପରେ କାର୍ଯ୍ୟ କରିବା ଲାଗି ୨ ଜଣଙ୍କୁ ନିଯୁକ୍ତିପତ୍ର ମିଳିଛି। ଏହିପରି ଗତ କିଛି ସପ୍ତାହ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ମୋଟ ୧୧୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନିରେ କାମ କରିବା ଲାଗି ନିଯୁକ୍ତିପତ୍ର ମିଳିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ମେଧାବୀ ଛାତ୍ରଛାତ୍ରୀମାନେ କିପରି ଦେଶବିଦେଶର କମ୍ପାନିରେ ନିଯୁକ୍ତି ସୁଯୋଗ ପାଇପାରିବେ, ସେଥିପାଇଁ କେନ୍ଦ୍ରର ପ୍ଲେସମେଣ୍ଟ ବିଭାଗ ପଦକ୍ଷେପ ନେଉଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ମିଳିଥିବା ସଫଳତା ଲାଗି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇରୁ ୨ ବର୍ଷିଆ କିମ୍ବା ପଲିଟେକ୍‌ନିକରୁ ୩ ବର୍ଷିଆ ତାଲିମ ପାଠ୍ୟକ୍ରମ ସାରି ଆସିଥିବା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଷୟରେ ବର୍ଷିକିଆ ଆଡ୍‌ଭାନ୍ସଡ୍ ଡିପ୍ଲୋମା ତାଲିମ ନେଉଛନ୍ତି। ଏଠାରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ଅନୁକୂଳ ତାଲିମ ସହ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେଇ ପ୍ରସ୍ତୁତ କରାଯାଉଥିବାରୁ ଦେଶବିଦେଶର କମ୍ପାନିମାନେ ସେମାନଙ୍କୁ ନିଯୁକ୍ତି ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ସେସନରେ ୭ଟି ବିଷୟରେ ନାମଲେଖା ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ଏଥିପାଇଁ ଶେଷ ତାରିଖ ୧୫ ଅଗଷ୍ଟ ରହିଛି।

Leave a Reply

Your email address will not be published. Required fields are marked *