ଭାରତ ନିଉ କାର ଏସେସମେଣ୍ଟ ପ୍ରୋଗ୍ରାମ ବା ଭାରତ ଏନସିଏପି ଉଦଘାଟନ କରିବେ ନୀତିନ ଗଡକରୀ
ଆଜି ଲଞ୍ଚ ହେବ ଭାରତ ନିଉ କାର ଏସେସମେଣ୍ଟ ପ୍ରୋଗ୍ରାମ ବା ଭାରତ ଏନସିଏପି। କେନ୍ଦ୍ର ସରକାର ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ। ଭାରତ ଏନସିଏପି 3.5 ଟନ୍ ଓଜନ ପର୍ଯ୍ୟନ୍ତ ମୋଟର ଯାନଗୁଡିକର ସୁରକ୍ଷା ମାନ ଯାଞ୍ଚ କରି ସଡକ ସୁରକ୍ଷାକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି। ବଜାରରେ ଉପଲବ୍ଧ ମୋଟର ଯାନଗୁଡିକର କ୍ରାସ୍ ନିରାପତ୍ତାର ତୁଳନାତ୍ମକ ମୂଲ୍ୟାଙ୍କନ କରିପାରିବେ କାର ଗ୍ରାହକ। ଏହି ପ୍ରୋଗ୍ରାମ୍ ଅଧୀନରେ, ଅଟୋ ନିର୍ମାତା ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ 197 ଅନୁଯାୟୀ ପରୀକ୍ଷଣ ପାଇଁ ସ୍ବେଚ୍ଛାକୃତ ଭାବରେ ସେମାନଙ୍କ ଯାନ ପ୍ରଦାନ କରିପାରିବେ ।
ପରୀକ୍ଷଣରେ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ଯାନବାହନଗୁଡିକୁ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କ ପାଇଁ ଷ୍ଟାର୍ ରେଟିଂ ପ୍ରଦାନ କରାଯିବ । ବିଭିନ୍ନ ଗାଡିର ସୁରକ୍ଷା ମାନ ତୁଳନା କରିବାକୁ ଏବଂ ସେହି ଅନୁଯାୟୀ ସେମାନଙ୍କର କ୍ରୟ ନିଷ୍ପତ୍ତି ନେବାକୁ ସମ୍ଭାବ୍ୟ କାର୍ ଗ୍ରାହକ ଏହି ଷ୍ଟାର୍ ରେଟିଂକୁ ରେଫର୍ କରିପାରିବେ । ଫଳସ୍ୱରୂପ ସୁରକ୍ଷିତ କାରଗୁଡିକର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହା କାର ନିର୍ମାତାମାନଙ୍କୁ ଗ୍ରାହକଙ୍କ ଆବଶ୍ୟକତା ପାଳନ କରିବାକୁ ଉତ୍ସାହିତ କରିବ |ଏହାଦ୍ୱାରା ଉଚ୍ଚ ନିରାପତ୍ତା ମାନଦଣ୍ଡ ସହିତ ଭାରତୀୟ କାରଗୁଡିକ ମଧ୍ୟ ବିଶ୍ୱ ବଜାରରେ ଭଲ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବେ।

