ରାଜ୍ୟ

କଟକ ସହର ପାଲଟିଛି ଡେଙ୍ଗୁର ହଟସ୍ପଟ୍

Spread the love

କଟକ ସହରରେ ଫେଲ ମାରୁଛି ସିଏମସିର ସବୁ ପ୍ଲାନ୍‌ । ବହୁ ସଚେତନତା ପରେ ବି ହୁ ହୁ ବୋଇ ବଢ଼ି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ନା ମଶା ବଂଶ କମୁଛି ନା ରୋଗୀଙ୍କ ସଂଖ୍ୟାରେ ବ୍ରେକ୍‌ ଲାଗୁଛି । ଧିରେ ଧିରେ ପୂରା ସହରରେ ଚାଲିଛି ଡେଙ୍ଗୁ ମଶାଙ୍କ ରାଜୁତି । ଖୋର୍ଦ୍ଧା ଓ ପୁରୀ ପରେ ଏବେ କଟକ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ୪ ନମ୍ବର ସ୍ଥାନରେ ରହିଛି । କଟକ ସହରର ସିଡିଏ ସେକ୍ଟର 10 ଓ 11 ଅଞ୍ଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ ସିଏମସି ପକ୍ଷରୁ ସେଭଳି ବଡ଼ ପଦକ୍ଷେପ ନିଆଯାଉ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ ଆଜି କଟକ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଘେରିବା ସହ ହଙ୍ଗାମା କରିଥିଲେ ବାରବାଟି କଟକ ବିଧାୟକଙ୍କ ପ୍ରତିନିଧି ଦଳ ଓ କଂଗ୍ରେସ୍ କର୍ପୋରେଟର । ମଶା ଧୂଆଁ ଓ ମଶା ତେଲ ସ୍ପ୍ରେ ସହ ରକ୍ତ ପରୀକ୍ଷା ପାଇଁ ସ୍ବାସ୍ଥ୍ୟ କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି କଟକ ନଗର କଂଗ୍ରେସ କର୍ପୋରେଟର ଓ କର୍ମୀ ।

କଟକରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ଜୀବନ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ । ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନେ ଅନ୍ୟ ରୋଗରେ ପୀଡ଼ିତ ଥିବା କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ସହରରେ ଅଳିଆ ଆବର୍ଜନା ସଫା ପାଇଁ ସବୁ ୱାର୍ଡର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫାଙ୍କା ଥିବା ପ୍ଲଟ ମାନଙ୍କରେ ଜମି ରହୁଥିବା ଅଳିଆ ଆବର୍ଜନା ପାଇଁ ପ୍ଲଟ ମାଲିକଙ୍କୁ ନୋଟିସ କରାଯିବ। ସେହିଭଳି ବର୍ତ୍ତମାନ ସହରରେ 107 ଜଣ ଡେଙ୍ଗୁ ରୋଗୀ ଥିବା ସୂଚନା ଦଦେଇଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ।

ମଶା ଧୂଆଁ, ମଶା ତେଲ ସ୍ପ୍ରେ ସହ ସହ ଅଳିଆ ସଫା ପାଇଁ ମେସିନର ବ୍ୟବହାର ହେଉଥିବା ସେ କହିଛନ୍ତି।ସ୍ବଚ୍ଛ ପାଣିରେ ଏଡିସ ମଶା ବଂଶ ବିସ୍ତାର କରୁଥିବାରୁ ଘରେ କୁଲର, ଟିଣ ପାତ୍ରରେ ପାଣି ଜମିଥିଲେ ତୁରନ୍ତ ଏହାକୁ ସଫା କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେପଟେ ସଚେତନ ରହିବା ସହ ନିଜ ଘର ଚାରିପଟକୁ ସଫା ରଖିଲେ ଡେଙ୍ଗୁ ଭୟ ଦୂର ହୋଇପାରିବ ।

Leave a Reply

Your email address will not be published. Required fields are marked *