ବ୍ୟକ୍ତିତ୍ୱ

ନିଜ ଆୟର ଏକ ପ୍ରତିଶତ ଅସହାୟଙ୍କ ସେବା କାମରେ ଲଗାଇଲେ ଜୀବନ ସାର୍ଥକ ହେବ : ଲାଏନ୍ସ ବିଶ୍ୱନାଥ ମହାନ୍ତି

Spread the love

ଆଧ୍ୟାତ୍ମିକତା ଆଉ ସମାଜ ସେବା ତାଙ୍କ ଜୀବନର ଦୁଇଟି ପାର୍ଶ୍ୱ ପାଲଟିଯାଇଛି | ପିଲାଟି ଦିନରୁ ଅସହାୟଙ୍କୁ ସେବା କରିବା ଉଦ୍ଦେଶ୍ୟରେ ସେ ହୋଇ ଯାଇଛନ୍ତି ସମର୍ପିତ l ସିଂହ ଭଳି ନିର୍ଭିକ ଆଉ ବଞ୍ଚିବାର ଠାଣୀ ତାଙ୍କୁ କରିଛି ଅନନ୍ୟ | ମାନବ ସେବା ହିଁ ମାଧବ ସେବା ସହ ସେବା ହିଁ ଶ୍ରେଷ୍ଠ ଧର୍ମ ବୋଲି ମାନି ନେଇଛନ୍ତି ସେ | ଅସହାୟ ଲୋକଙ୍କ ସେବା କରିବାରେ ତାଙ୍କୁ ମିଳିଥାଏ ଅପୂର୍ବ ଆନନ୍ଦ | ଦୁଃଖୀ ଦରିଦ୍ରଟିଏ ଦେଖିଲେ ଯେମିତି ତାଙ୍କ ମାନସପଟ୍ଟରେ ଉଙ୍କିମାରେ ଭିନ୍ନ ଏକ ଚିନ୍ତାଧାରା | ସମାଜସେବାକୁ ନିଜ ବ୍ରତ କରିଥିବା ତଥା ଅସହାୟ ମାନଙ୍କ ପାଇଁ ନିରନ୍ତର ସେବା ଯୋଗାଇ ଆସୁଥିବା ଭିନ୍ନ ଏକ ମଣିଷ ହେଲେ ଲାୟନ ବିଶ୍ୱନାଥ ମହାନ୍ତି |
ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଗିରିତାଳ ଗ୍ରାମରେ ୧୯୮୧ ମସିହାରେ ଜନ୍ମ ଲାଭ କରିଥିବା ବିଶ୍ୱନାଥ ଆଜି ଦେଶ ଦୁନିଆରେ ପାଇଛନ୍ତି ଏକ ବିଶିଷ୍ଟ ପରିଚୟ | ସପ୍ତମ ଶ୍ରେଣୀରେ ପାଠ ପଢ଼ିବା ବେଳେ ଯୋଜନା ଦାସ ମହାପାତ୍ର, ଯାହାଙ୍କୁ ଧର୍ମ ପିତା ବୋଲି ମାନୁଥିଲେ ତାଙ୍କ ପାଇଁ ସମାଜ ସେବା ପ୍ରତି ଆକୃଷ୍ଟ ହୋଇଥିଲେ ସେ | ଗାଁ ରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଏଫ.ଏମ କଲେଜରୁ ବିଏ ଏବଂ ୧୯୮୧ ମସିହାରେ ଉତ୍କଳ ୟୁନିଭର୍ସିଟି ବାଣୀବିହାରରୁ ଇତିହାସରେ ସ୍ନାତକତ୍ତୋର ପାସ କରିବା ପରେ ଚାକିରୀ କରିବା ଆରମ୍ଭ କରିଥିଲେ | ହେଲେ ନେତୃତ୍ୱ ଯାହାର ବ୍ୟକ୍ତିତ୍ୱର ଅନ୍ୟତମ ପରିଚୟ ସେ ସ୍ଥିର ରହନ୍ତା ବା କେମିତି | ଯୁବ ବୟସରେ ରାଜନୀତିରେ ସକ୍ରିୟ ହୋଇ ଅଲ ଇଣ୍ଡିଆ କଂଗ୍ରେସ କମିଟି ଦ୍ୱାରା ଚୟନ କରାଯାଇ ପ୍ରଥମେ ଦିଲ୍ଲୀ ଓ ପରେ ବମ୍ବେ ଅଧିବେଶନରେ ଓଡିଶାରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ | ରାଜନୀତିରେ ସକ୍ରିୟ ହୋଇ ରାଜ୍ୟ ଯୁବ କଂଗ୍ରେସର ସଭାପତି ମଧ୍ୟ ହୋଇଥିଲେ | ପୂର୍ବରୁ ବାଣୀ ବିହାରରେ ପିଜି କରୁଥିବା ସମୟରେ ଛାତ୍ର ସଙ୍ଗଠନରେ ଜଏଣ୍ଟ ସେକ୍ରେଟେରୀ, କଲଚରାଲ ସେକ୍ରେଟେରୀ ଭଳି ଦାୟିତ୍ୱ ତୁଲାଇଥିଲେ |

୧୯୮୫ ମସିହାରେ ଚାକିରୀ ଆରମ୍ଭ କରିବା ସହ ସାମାଜିକ କାମ ପ୍ରତି ଥିବା ତାଙ୍କର ଆଗ୍ରହ ବହୁ ପରିମାଣରେ ବଢି ଯାଇଥିଲା | ତେଣୁ ସେ ଆନୁଷ୍ଠାନିକ ଭାବେ ମର୍ଯ୍ୟାଦାଜନକ ଲାୟନସ କ୍ଲବ ଇଣ୍ଟରନେସନାଲରେ ଯୋଗ ଦେଇଥିଲେ | ନେତୃତ୍ୱ ନେବାର ଦକ୍ଷତା ସାଙ୍ଗକୁ ଚମତ୍କାର ବ୍ୟକ୍ତିତ୍ୱ ତାଙ୍କୁ ୨୦୧୮-୧୯ ମସିହାରେ ଲାୟନସ କ୍ଲବ ଇଣ୍ଟରନେସନାଲ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପଦରେ ଅଭିଷିକ୍ତ କରାଇଥିଲା | ଲାଏନ୍ସ କ୍ଲବ କାମ କରୁଥିବା ସାରା ପୃଥିବୀର 210 ଗୋଟି ଦେଶରେ 750 ଜଣ ଗଭର୍ଣ୍ଣର ଅଛନ୍ତି | ଭାରତ ବର୍ଷରେ 71 ଜଣ ଲାୟନସ ଗଭର୍ଣ୍ଣର ଅଛନ୍ତି ଏବଂ ତା ଭିତରେ ଓଡ଼ିଶାରୁ ତିନି ତିନି ଥର ଶ୍ରେଷ୍ଠରେ ରହି ଗଭର୍ଣ୍ଣର ଭାବେ ନିର୍ବାଚିତ ହୋଇଥିଲେ, ଯାହା ଏକ ବିରଳ ସଂଯୋଗ | ଲାୟନସ ଇଣ୍ଟରନେସନାଲରେ ଯୋଡ଼ିହେବା ତାଙ୍କୁ ଆଣିଦେଇଥିଲା ଦେଶ ବିଦେଶର ଅଗଣିତ ସେବା ଅନୁଷ୍ଠାନ ସହ ପ୍ରତ୍ୟେକ୍ଷ ଭାବେ ଯୋଡି ହୋଇ ଅନୁଭୂତି ସାଉତିବର ସୁଯୋଗ | ଆମେରିକାର ଲସରିକା ଠାରୁ ଆରମ୍ଭ କରି ରୁଷିଆର ତାସ୍ କେଣ୍ଟ ପର୍ଯ୍ୟନ୍ତ ପ୍ରାୟ 21 ଟି ଦେଶ ସେ ଭ୍ରମଣ କରିଛନ୍ତି | ଲାଏନ୍ସ କ୍ଲବର ବହୁ ବିଭାଗ ସହ ଜଡିତ ଥାଇ ସେ ନିଜର ଦକ୍ଷତା ନେତୃତ୍ୱର ପରିଚୟ ଦେଇ ବହୁ କାର୍ଯ୍ୟ ସଫଳତାର ସହ ତୁଲାଇଛନ୍ତି | ପ୍ରାକୃତିକ ବିପର୍ଯୟ ସମୟରେ ରିଲିଫ ବଣ୍ଟନ ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ପ୍ରଦାନ ପର୍ଯ୍ୟନ୍ତ ସେବା କାର୍ଯ୍ୟ କରିବା ଏବଂ ଲାଏନ୍ସ ଚକ୍ଷୁ ଚିକିତ୍ସାଳୟରେ ଶତାଧିକ ମାଗଣା ଅସ୍ତ୍ରୋପଚାର ସହ ରୋଗୀଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି ବିଶ୍ୱନାଥ| ଏବେ ବିଶ୍ୱନାଥ ରାଜଧାନୀର ସମ୍ମାନଜନକ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗା ପୂଜା କମିଟିର ପ୍ରେସିଡେଣ୍ଟ ରହିବା ସହ ଓଡ଼ିଶାର ବହୁ ସାମାଜିକ, ସାଂସ୍କୃତିକ ଓ ସେବା ଅନୁଷ୍ଠାନ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ଅଛନ୍ତି | ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ରେସିଡେଣ୍ଟର ପ୍ରେସିଡେଣ୍ଟ ରହିବା ସହ ଏକ ପ୍ରସିଦ୍ଧ ଶୈବ ମନ୍ଦିର ବିଶ୍ଵନାଥ ମହାଦେବ ମନ୍ଦିର ତିଆରି କରି ଠାକୁରଙ୍କ ପ୍ରତିଷ୍ଠା କରିଛନ୍ତି ଯାହା ଓଡିଶା ହିନ୍ଦୁ ଦେବତ୍ତର ବିଭାଗରେ ମଧ୍ୟ ତାଲିକାଭୁକ୍ତ ହୋଇସାରିଛି | ଯାହାର ସେ ମ୍ୟାନେଜିଙ୍ଗ ଟ୍ରଷ୍ଟି ମଧ୍ୟ ଅଛନ୍ତି |
ଏତେ ସବୁ ସାମାଜିକ କାର୍ଯ୍ୟ ପାଇଁ ସହଯୋଗୀ ହିସାବରେ ନିଜ ଧର୍ମପତ୍ନୀ ରେବତୀଙ୍କୁ ଧନ୍ୟବାଦ ଦିଅନ୍ତି ବିଶ୍ୱନାଥ | ରେବତୀ ବୃତ୍ତିରେ ଶିକ୍ଷକତା କରି ଏବେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି | କର୍ମ ଜଂଜାଳ ଭିତରେ ସ୍ୱାମୀଙ୍କ ସମାଜସେବାରେ ପ୍ରଥମରୁ ସମ୍ପୂର୍ଣ୍ଣ ସହଯୋଗ କରିଆସିଛନ୍ତି ସେ | ସ୍ତ୍ରୀ ଙ୍କ ପ୍ରେରଣା ଓ ନିରନ୍ତର ସହଯୋଗ ଫଳରେ ହିଁ ଏ ବୟସରେ ଏତେ ସଵୁ କାର୍ଯ୍ୟ ନିର୍ଦ୍ୱନ୍ଦ୍ୱରେ କରିପାରୁଛନ୍ତି ବୋଲି ସ୍ୱୀକାର କରନ୍ତି ବିଶ୍ୱନାଥ | ପିଲାମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଓ କର୍ମମୟ ଜୀବନ ଆରମ୍ଭ କଲା ପରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ସମ୍ପୂର୍ଣ୍ଣ ରୂପେ ସେବା କାମରେ ନିଜକୁ ନିୟୋଜିତ କରିଆସିଛନ୍ତି |
ଏତେ ସବୁ ସାମାଜିକ କାମରେ ସେ ପାଇଛନ୍ତି ଅଗଣିତ ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା | ଓଡ଼ିଶାର ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସାପତ୍ର ସହ ମାନ୍ୟବର ରାଜ୍ୟପାଳଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ସେ|ଓଡ଼ିଶାର ସମ୍ମାନଜନକ ଅନୁଷ୍ଠାନ ମାନଙ୍କ ମଞ୍ଚରୁ ସମ୍ମାନିତ ହୋଇଛନ୍ତି | ସାମାଜିକ ସ୍ୱୀକୃତିର ଅସୁମାରୀ ପ୍ରଶଂସା ଓ ପ୍ରଶସ୍ତିକୁ କେବେ ନିଜର ଉପଲବ୍ଧି ବୋଲି ବିଚାର କରିନାହାନ୍ତି ସେ | ସେ କୁହନ୍ତି, ପୁରସ୍କାର ସମ୍ମାନ ପାଇବାକୁ ମାନେ ରଖୁଛି କିଏ, ଆମେ କେବଳ ଈଶ୍ୱରଙ୍କୁ ଡାକି ଆମ କାମ କରି ଚାଲିବା | ଜୀବନରେ ଲମ୍ବା ଯାତ୍ରାର ଏ ସମସ୍ତ ସଫଳତା ପାଇଁ ଈଶ୍ୱରଙ୍କ ପାଖରେ ନିଜକୁ ସମର୍ପି ଦେଇଛନ୍ତି ବିଶ୍ୱନାଥ | ପତ୍ନୀ ରେବତୀଙ୍କର ମଧ୍ୟ ସେଇ ସମାନ ମନୋଭାବ |
ଅସହାୟଙ୍କ ମୁହଁରେ ଫୁଟି ଉଠୁଥିବା ହସକୁ ଦଖିଲେ ତାଙ୍କ ଅନ୍ତର ଏକ ତୃପ୍ତିରେ ଭରିଯାଏ ବୋଲି ସ୍ମିତହସି କୁହନ୍ତି ସେ |

ସାକ୍ଷାତକାର : ମିଲନ ପ୍ରଧାନ

Leave a Reply

Your email address will not be published. Required fields are marked *