ଓଡ଼ିଆ ସିନେମାରେ ନୂତନତ୍ୱର ପରୀକ୍ଷଣ ସଫଳ : ଖୁବ ଶୀଘ୍ର ଫେରିବ ସୁବର୍ଣ୍ଣ ଯୁଗ : ଟିକି ପଟ୍ଟନାୟକ
ପିଲାଟି ବେଳୁ ଡ୍ରାମା, ନାଟକ ଉପରେ ଆଗ୍ରହ ଥିଲା | ବଡ ହେବା ପରେ ସେଇ ଆଗ୍ରହ ନିଶାରେ ପରିଣତ ହେବାରେ ଲାଗିଲା | କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରୀ କରିଥିଲେ ବି ସନ୍ତୁଷ୍ଟ ନଥିଲେ | ଅନ୍ତରରେ କେଉଁଠି ନାଁ କେଉଁଠି ଦାନା ବାନ୍ଧୁଥିଲା ଆଉ ଏକ ଅଲଗା ଦୁନିଆର ମୋହ | ଟାଣି ହୋଇ ଆସିଥିଲେ ଓଡ଼ିଆ ସିନେମା ଜଗତକୁ | ହେଲେ ଅଭିନେତା ଭାବେ ନୁହେଁ, ନିର୍ମାତା ଭାବେ | ଅଭିନୟ ଜଗତର ନୂଆ ଚେହେରାଙ୍କୁ ଚିହ୍ନି ସୁଯୋଗ ଦେବା ଲକ୍ଷ୍ୟ ନେଇ ଆଗେଇ ଆସିଥିଲେ | ସେବେଠୁ ମୌଳିକତାରେ ବିଶ୍ୱାସ ସହ ନୂତନତ୍ଵରେ ପରୀକ୍ଷଣ କରି ସଫଳତାର ରାସ୍ତାରେ ଆଗେଇ ଚାଲିଛନ୍ତି ସେ | ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଲକ୍ଷ୍ମୀକାନ୍ତ ପଟ୍ଟନାୟକ | ଟିକି ପଟ୍ଟନାୟକ ନାଁରେ ଜଣାଶୁଣା | ଓଡ଼ିଆ ସିନେ ଜଗତରେ ଜଣେ ପରିଚିତ ଚେହେରା |

ଛୋଟବେଳୁ ବର୍ତ୍ତମାନ ଜୀବନ ପର୍ଯ୍ୟନ୍ତ ଲମ୍ବା ଯାତ୍ରା ବିଷୟରେ ଭାବୁକ ହୋଇ ସେ କୁହନ୍ତି ,ମୋର ଛୁଆ ବେଳୁ ଅଭିନୟ ପ୍ରତି ଆଗ୍ରହ ଥିଲା ଓ 4th କ୍ଲାସରୁ ମୁଁ ଡ୍ରାମା କରିଛି | ବାଣହରଣ ନାମରେ ହୋଇଥିବା ଏହି ଡ୍ରାମାରେ ମୋର ଜଣେ ବଡଭାଇ ଶିଶିର ମିଶ୍ର ମଧ୍ୟ ଅଭିନୟ କରିଥିଲେ | ମୁଁ ଏହି ଡ୍ରାମାରେ ପିତାମହ ଭୀଷ୍ମଙ୍କ ରୋଲ କରିଥିଲି ଓ ମୋର ବଡଭାଇ ଦୁର୍ଯ୍ୟୋଧନ ରୋଲ କରିଥିଲେ | ତାପରେ ହାଇସ୍କୁଲ, କଲେଜ ସବୁ ଜାଗାରେ ଡ୍ରାମା ଆଉ ନାଟକରେ ଅଭିନୟ କରିଛି | ସେଥିପାଇଁ ଅଭିନୟ ପ୍ରତି ଆଗ୍ରହ ବଢିଥିଲା | ତାପରେ 2009 -11 ମସିହା ବେଳକୁ ଓଡ଼ିଆର କିଛି ସିରିଏଲ କଲି ଯେମିତିକି ବଡ଼ ଘର ବଡ଼ ଗୁମର କଥା , ଆଇନା କେବେ ମିଛ କହେନା ଯାହା ଦୂରଦର୍ଶନରେ ପ୍ରସାରିତ ହେଉଥିଲା | ତାପରେ ମାନିନୀ ଏବଂ ଅନ୍ୟ କିଛି ଲୋକପ୍ରିୟ ସିରିଏଲରେ ଅଭିନୟ କରିଥିଲି | ତାପରେ ଚାକିରୀ ଜୀବନରେ ଏତେ ବ୍ୟସ୍ତ ରହିଗଲି ଯେ, ଅଭିନୟ ପାଇଁ ଆଉ ସମୟ ଦେଇପାରିଲିନି |

ଚାକିରୀ କରୁଥିବା ସମୟରେ ସିବିଏସଇ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ସ୍ମାର୍ଟ କ୍ଲାସରେ ବ୍ୟବହାର ହେଉଥିବା ସମସ୍ତ ଶିକ୍ଷଣୀୟ ବିଷୟକୁ ନେଇ ପ୍ରସ୍ତୁତ ହେଉଥିବା କଣ୍ଟେଣ୍ଟ ଉପରେ ନିର୍ଦ୍ଦେଶନା ଦେଉଥିଲେ ଟିକି | ହେଲେ ମନରେ ଥିଲା କିଛି ବଡ କରିବାର ଇଚ୍ଛା | ଦୁନିଆକୁ ନିଆରା ଦୃଷ୍ଟିଭଙ୍ଗୀରେ ଦେଖିବାର ଆଶା ରଖିଥିବା ଟିକି ଚାକିରୀରେ ଆତ୍ମସନ୍ତୋଷ ପାଉନଥିଲେ | ତେଣୁ 2018 ମସିହା ଅଗଷ୍ଟ 18 ତାରିଖରେ ଚାକିରୀ ଛାଡି ଚାଲିଆସିଲେ ସିନେମା ଜଗତକୁ | ଅଭିନୟ କରିବା ଅପେକ୍ଷା ଅଭିନେତା ତିଆରି କରିବାରେ ବେଶୀ ଆଗ୍ରହ ଥିବାରୁ ଶ୍ରଦ୍ଧା ସବୁରୀ ପ୍ରଡକ୍ସନ ନାମରେ ପ୍ରଯୋଜନା ସଂସ୍ଥାଟିଏ ଖୋଲି ଓଡ଼ିଆ ସିନେମାରେ ଭାଗ୍ୟ ପରୀକ୍ଷା ପାଇଁ ଆଗେଇ ଆସିଲେ | ଗତ ମାସ ରେ ତାଙ୍କ ପ୍ରଯୋଜନା ସଂସ୍ଥା ଶ୍ରଦ୍ଧା ସବୁରୀ ପ୍ରଡକ୍ସନକୁ 5 ବର୍ଷ ପୁରିଲା | ଏଇ 5 ବର୍ଷ ଭିତରେ ଅନେକ ଉତ୍ଥାନ ପତନ ଦେଖି ଆସିଛନ୍ତି ସେ | ସେହି ଦିନ ଠାରୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ କିଛି କରିବାର ଚେଷ୍ଟା ଚାଲିଛି |
ନିଜର ବର୍ତ୍ତମାନର ପ୍ରୋଜେକ୍ଟ ବିଷୟରେ ଟିକି କୁହନ୍ତି, ବର୍ତ୍ତମାନ ଆମ ପ୍ରଡକ୍ସନ ପକ୍ଷରୁ ସେକେଣ୍ଡ ସିନେମାର ସୁଟିଙ୍ଗ ଚାଲିଛି , ଯାହାର ଟାଇଟେଲ ରହିଛି ‘ନିର୍ଣ୍ଣୟ’ | ମୋ ସିନେମାରେ ସବୁବେଳେ କିଛି ନାକିଛି ସାମାଜିକ ବାର୍ତ୍ତା ଥାଏ | ଏହି ସିନେମା ଚାରୋଟି କାହାଣୀକୁ ନେଇ ତିଆରି ହୋଇଛି | ଏଥିରେ ପ୍ରତ୍ୟକ ଷ୍ଟୋରୀରେ ମହିଳାମାନଙ୍କୁ ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇଛି | ସେମାନଙ୍କ ଜୀବନରେ ଯାହା ସବୁ ଘଟୁଛି, ତାହା ସମସ୍ତେ ଜାଣିଛନ୍ତି | କିନ୍ତୁ ଏସବୁ ଜିନିଷ ଚାରି କାନ୍ଥ ଭିତରେ ରହିଯାଉଛି ଯାହାକି ସେମାନେ ଡ଼ରିକି କହୁନାହାନ୍ତି ବା ତାଙ୍କୁ ଲାଜ ଲାଗୁଛି ସେମାନେ କହିପାରୁ ନାହାଁନ୍ତି | ମହିଳାମାନଙ୍କ ଜୀବନରେ ଏମିତି କଣ ସବୁ ଘଟୁଛି ଆଉ ସେମାନେ ତାର ସମାଧାନ ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ତରରେ ଆସି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି | ସେଇ ଜିନିଷ ଆମେ ଏହି ସିନେମାରେ ଦେଖେଇବାକୁ ଚେଷ୍ଟା କରିଛୁ | ସେମାନେ ସେ ଜାଗାରେ ଦେଖୁ ନାହାଁନ୍ତି କି ସମାଜ କଣ କହୁଛି |ସେଥିପାଇଁ ସେ ନିର୍ଣ୍ଣୟ ନିଅନ୍ତି ଯେ ଏଇଟା ହେଉଛି ଆମ ଜୀବନ, ଆମକୁ ସମାଜରେ ବଞ୍ଚିବାକୁ ପଡିବ | ସେଥିପାଇଁ ଏଇ ଚଳଚ୍ଚିତ୍ର ର ନାଁ ‘ନିର୍ଣ୍ଣୟ’ ରଖାଯାଇଛି |
ଚାକିରୀରୁ କଣ ପାଇଁ ସିନେମାକୁ ଆସିଲେ ପ୍ରଶ୍ନରେ ସେ କୁହନ୍ତି ,ମୋର ଚାକିରୀରେ ଏତେ ମନ ନଥିଲା | ସବୁବେଳେ ଏଇ ଫିଲ୍ମ ଲାଇନ ପ୍ରତି ଆଗ୍ରହ ଥିଲା | ଯେତେବେଳେ ମୁଁ ନିଜ ପଛ ଜୀବନକୁ ଚାହିଁଲି, ସେତେବେଳେ ଅଭିନୟ କରିବା ଅପେକ୍ଷା ନିଜେ ପ୍ରଯୋଜନା କରି ଇଣ୍ଡଷ୍ଟ୍ରି ପାଇଁ କିଛି ନୂଆ କାମ କରିବା ପାଇଁ ଚିନ୍ତାକଲି | ମୁଁ ଅଭିନୟ କଲାବେଳେ ଦେଖିଛି, ଆଟିଷ୍ଟିମାନେ ଗୋଟେ କାମ ପାଇଁ କେତେ ଷ୍ଟ୍ରଗଲ କରନ୍ତି | କୋଉ ଦୂର ଦୂରାନ୍ତ ଜାଗାରୁ ସକାଳୁ ଆସିକି ଅଡିସନ ପାଇଁ ବସିଥିବେ ଯେ, ରାତି ହେବ ଯାଏ | ସନ୍ଧ୍ୟାରେ ସେମାନଙ୍କୁ କୁହାଯିବ ଆପଣଙ୍କୁ ଜଣେଇବୁ | ସେଇ ନୂଆ ପିଲାମାନଙ୍କର ସେଇ ଅସହାୟତା, ସେଇ ଷ୍ଟ୍ରଗଲଟା ମୁଁ ଦେଖିଛି | ତାପରେ ମୁଁ ସ୍ଥିର କଲି ନୂଆ ପିଲାଙ୍କୁ ସୁଯୋଗ ଦେବାପାଇଁ ସିନେମା ନିର୍ମାଣ କ୍ଷେତ୍ରରେ ମୁଁ ଆଗେଇ ଆସିବି | ଓଡ଼ିଆ ଇଣ୍ଡଷ୍ଟ୍ରିକୁ ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ପ୍ରକାର ଲୋକ ଆସୁଛନ୍ତି | କେତେ ଜଣ ବିଜିନେସ କରୁଛନ୍ତି , କେତେଜଣ ଭଲ ଚାକିରୀ ବି କରୁଛନ୍ତି | ତା ସହ ଫାଇନାନ୍ସ କରିକି ମଧ୍ୟ ସିନେମା ସହ ଜଡିତ ରହୁଛନ୍ତି | ଆଉ କେତେ ଜଣ ଚଳଚ୍ଚିତ୍ରକୁ ଭଲ ପାଆନ୍ତି,ପୂଜା କରନ୍ତି ମଧ୍ୟ | ମୁଁ ଭାବୁଛି ସେ ଭିତରୁ ମୁଁ ଜଣେ | ଆମର ପ୍ରଥମ କାର୍ଯ୍ୟ ହେଲା କିଭଳି ଭଲ ଓଡ଼ିଆ ସିନେମା ତିଆରି କରିବା | ଏହି ଫିଲ୍ମରୁ ଦର୍ଶକ ମାନେ କିଭଳି ଭରପୁର ମନୋରଞ୍ଜନ ପାଇବେ ଓ ଆମର ମଧ୍ୟ ବ୍ୟବସାୟିକ ସଫଳତା ରହିବ ସେଦିଗରେ ଧ୍ୟାନ ଦେବା | କିଛି କାରଣ ହେତୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ପ୍ରଯୋଜକଙ୍କର ଆଉଟପୁଟ ଆସୁନାହିଁ | ସେଥିପାଇଁ ପ୍ରଯୋଜକଟିଏ କ୍ଷତି ସହୁଛି | ଚଳଚ୍ଚିତ୍ରରେ ପ୍ରଯୋଜକ ଅର୍ଥ ଲଗାଉଛି ଲାଭ ଆଶାରେ | ସେଇ ଫିଲ୍ମରେ ଯେତେଜଣ ଆଟିଷ୍ଟ କାମ କରନ୍ତି, ସ୍ପଟ ବୟ ଠୁ ଆରମ୍ଭ କରି ନିର୍ଦେଶକ ପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ଥାଏ ଫିଲ୍ମଟି ସଫଳତାର ସହ କିଭଳି ତିଆରି ହେବ ଆଉ ଭଲ ବ୍ୟବସାୟ କରିବ ଯାହା ଫଳରେ ପ୍ରଯୋଜକ କ୍ଷତି ନସହିବେ |
ଅନ୍ୟ ରାଜ୍ୟ ମାନଙ୍କରେ ସରକାର ଆଞ୍ଚଳିକ ଭାଷାର ସିନେମା ପାଇଁ ବହୁ ସହଯୋଗ କରୁଛନ୍ତି | ଆମ ରାଜ୍ୟ ସରକାର ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଳିଙ୍ଗ ଷ୍ଟୁଡିଓ ର ପୁନଃ ନିର୍ମାଣ କରିଛନ୍ତି ହେଲେ ତାହା ସହଜରେ ସମସ୍ତଙ୍କ କାମରେ ଆସିପାରୁନି | ସେମିତି ଅନ୍ୟାନ ଆର୍ଥିକ ସହାୟତା ସହ ସବସିଡି ଦେଇ ସାହାଯ୍ୟ ମଧ୍ୟ କରିପାରିବେ | ଭଲ ସିନେମାଟିଏ ହେଲେ ଟାକ୍ସ ମଧ୍ୟ ଛାଡ଼ କରି ସହଯୋଗ କରିପାରିବେ | ରାଜ୍ୟରେ ପ୍ରେକ୍ଷାଳୟ ବହୁତ କମି ଗଲାଣି | ସେଦିଗରେ ପଦକ୍ଷେପ ନେଲେ ଭଲ ହୁଅନ୍ତା | ଯଦି ଫିଲ୍ମ ହଲ ନଥିବ ତେବେ ସିନେମା ଚାଲିବ କେଉଁଠି | ଆଞ୍ଚଳିକ ସିନେମାକୁ ହଲ ନଦେଇ ହିନ୍ଦୀ ସିନେମାକୁ ଗୁରୁତ୍ୱ ଦିଆଯିବା ମଧ୍ୟ ଅନ୍ୟ ଏକ କାରଣ ଓଡ଼ିଆ ସିନେମାର ଆଜିର ଏ ଅବସ୍ଥା ପାଇଁ | ଏସବୁ ପାଇଁ ଆମେ ସମସ୍ତେ ସରକାରଙ୍କ ପାଖରେ ସ୍ୱର ଉତ୍ତଳନ କରି ଦାବି ରଖିବା ଉଚିତ | ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନୂଆ ନୂଆ ପ୍ରଯୋଜକ ଆସିବା ଦରକାର ଯାହା ଦ୍ୱାରା ଫିଲ୍ମ ସଂଖ୍ୟା ବଢିବ |
ଅତୀତରେ ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତିଙ୍କ ପରି ଅଭିନେତାଙ୍କ ସିନେମା ଯେତେବେଳେ ଆସୁଥିଲା ଦର୍ଶକଙ୍କ ଭିତରେ ଏକ ଅତିଶୟ ଆଗ୍ରହ ଥିଲା ସେସବୁ ଦେଖିବା ପାଇଁ | ସେ ସମୟରେ ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ଥିଲା | ସେ ସମୟରେ ବସନ୍ତ ସାହୁ, ବସନ୍ତ ନାୟକଙ୍କ ପରି ବଡ଼ ବଡ଼ ପ୍ରଯୋଜକ ଓଡ଼ିଆ ସିନେମା ପାଇଁ ଭଲ କାମ କରିଛନ୍ତି | ବର୍ତ୍ତମାନ ସେଇ ସମୟକୁ ଫେରିବା ପାଇଁ ବହୁତ କାମ କରିବାକୁ ପଡିବ | ନହେଲେ ଓଡ଼ିଆ ଫିଲ୍ମ ଆଗେଇପାରିବ ନାହିଁ |
ଚାକିରୀ ଛାଡି ପ୍ରଯୋଜନା ସଂସ୍ଥାକୁ ଆସିବା ବେଳେ ପରିବାର ପକ୍ଷରୁ ବହୁ ସହଯୋଗ ପାଇଛନ୍ତି ସେ | ଓଡ଼ିଆ ସିନେମାର ଅବସ୍ଥା ଯାହା, ସେଥିରେ ଆର୍ଥିକ, ସାମାଜିକ ଓ ଅନ୍ୟାନ ଦିଗକୁ ଦେଖିଲେ ବହୁତ ରିସ୍କ ରହିଛି | ସେ ସମୟରେ ମୋ ପରିବାର, ମୋ ସ୍ତ୍ରୀ, ପିଲା ସମସ୍ତେ ମୋତେ ବହୁତ ସପୋର୍ଟ କରିଛନ୍ତି |
ଓଡ଼ିଆ ଫିଲ୍ମ ପାଇଁ ସଂସ୍କୃତି, ପରମ୍ପରା ଓ ମୌଳିକତାରେ ଭରପୁର କିଛି ନୂଆ କାହାଣୀ ଆସିବା ଦରକାର | ଯାହାକି ଆମ ଓଡ଼ିଆ ସିନେମାରେ ଅଭାବ ଅଛି | ଓଡ଼ିଆ ଫିଲ୍ମରେ ଆମ ସଂସ୍କୃତି ରହିଲେ ଦର୍ଶକ ମାନେ ଓଡ଼ିଆ ଫିଲ୍ମକୁ ଦେଖିବା ପାଇଁ ଆଗ୍ରହ ହେବେ ଓ ଫିଲ୍ମ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଟିକି କୁହନ୍ତି |
ବର୍ତମାନ ଯେଉଁ ଚଳଚ୍ଚିତ୍ର ଟିକି ନିର୍ମାଣ କରୁଛନ୍ତି ତାହାର ନାଁ ରହିଛି ‘ନିର୍ଣ୍ଣୟ’ | ରାଜେନ୍ଦ୍ର ମହନ୍ତ ନିର୍ଦେଶିତ ଏହି ଫିଲ୍ମ କୁ ନେଇ ସେ ବହୁତ ଆଶାବାଦୀ | ଭଲ ବ୍ୟବସାୟିକ ସଫଳତା ସହ ପୁରସ୍କାର ଜିତିବା ପାଇଁ ସବୁ ଉପାଦାନ ରହିଛି ଏହି ଫିଲ୍ମରେ | ଫିଲ୍ମର ରିଳିଜକୁ ନେଇ ତାଙ୍କ ମତ ହେଲା, ଏଇ ଦଶହରାରେ ପାଞ୍ଚ କି ଛଅଟି ଫିଲ୍ମ ରିଲିଜ ହେଉଛି | ସେଥି ପାଇଁ ଏହି ଫିଲ୍ମଟି ଆମେ ନଭେମ୍ବର ମାସରେ ରିଲିଜ କରିବୁ |
ଆଜିକାଲି ଓଡ଼ିଶାରୁ ବହୁତ ପିଲା ବଲିଉଡ଼ରେ ଯେଉଁମାନେ ବହୁତ ଭଲ କାମ କରୁଛନ୍ତି, ନାଁ ମଧ୍ୟ କମେଇଛନ୍ତି ସେମାନେ ଓଡ଼ିଆ ସିନେମା ପ୍ରତି ଧ୍ୟାନ ଦେବା ଦରକାର ବୋଲି କୁହନ୍ତି ସେ | ଆମ ଓଡ଼ିଆ ପିଲା ବିଭିନ୍ନ ଟେକ୍ନିକାଲ ବିଭାଗରେ ବମ୍ବେରେ ନାଁ କମେଇଲେଣି, ଯାହା ଆମ ପାଇଁ ଗର୍ବର ବିଷୟ | ବ୍ୟସ୍ତ ବହୁଳ ଜୀବନ ଜୀବିକାରୁ ସମୟ ବାହାର କରି ନିଜ ଭାଷାର ସିନେମା ପାଇଁ କାମ କଲେ ଓଡ଼ିଆ ସିନେମା ବହୁ ଆଗକୁ ଯାଇ ପାରିବ ବୋଲି ସେ ଦୃଢ ଆଶାବାଦୀ | ଯେଉଁମାନେ ରାଜ୍ୟ ତଥା ଦେଶ ବାହାରେ ଅଛନ୍ତି ସେମାନେ ଓଡ଼ିଆ ଫିଲ୍ମ ଦେଖିବା ସହ ବିଭିନ୍ନ ଉପାୟରେ ଯୋଡି ହେବ ପାଇଁ ଆଗେଇ ଆସିବା ଦରକାର |
ଓଡିଶା ଫିଲ୍ମର ଏବେ ଉଜ୍ୱଳ ଭବିଷ୍ୟତ ଆସୁଛି | ଦମନ, ପ୍ରତୀକ୍ଷା ଭଳି ଭଲ ସିନେମା ଓଡିଶାରେ ତିଆରି ହେଲାଣି | ଆଗକୁ ବି ବହୁତ ଭଲ କାହାଣୀର ଓଡ଼ିଆ ସିନେମା ଆସିବ | ଆମର ଭଲ ଅଭିନେତା ସହ ଭଲ ନିର୍ଦେଶକ ଅଛନ୍ତି ଆଉ ଭଲ ସ୍ପଟ ବୟ ମଧ୍ୟ ଅଛନ୍ତି | ଯେଉଁମାନେ ଆଗାମୀ ଦିନରେ ଆପଣମାନଙ୍କୁ ବହୁତ ଭଲ ସିନେମା ଉପହାର ଦେବେ | ତେଣୁ ଆପଣ ମାନେ ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ପ୍ରତି ସ୍ନେହ, ଶ୍ରଦ୍ଧା ଓ ବିଶ୍ୱାସ ରଖନ୍ତୁ | ଆଉ ଏତିକି ଅନୁରୋଧ ଆପଣମାନେ ଏଥିରେ ଯୋଡି ହୁଅନ୍ତୁ | ଆମ ମାନଙ୍କର ମିଳିତ ପ୍ରଚେଷ୍ଟାରେ ହିଁ ଓଡ଼ିଆ ସିନେମାରେ ନୂତନତ୍ୱ ଆସିବା ସହ ସୁବର୍ଣ୍ଣ ଯୁଗ ଫେରିବ ବୋଲି ଦୃଢ଼ ମତ ରଖନ୍ତି ଟିକି ପଟନାୟକ |

