ବ୍ୟକ୍ତିତ୍ୱ

ଅଧ୍ୟୟନ ଓ ପ୍ରୟୋଗର ଅଭ୍ୟାସ ସାଧାରଣ ମଣିଷକୁ ଏକ ଅତିମାନବ ସ୍ତରରେ ପହଞ୍ଚାଇ ପାରିବ – ମୁରଲୀଧର ହୋତା

Spread the love

ଜଣେ ପ୍ରାବନ୍ଧିକ ଏବଂ ସ୍ତମ୍ଭକାର ହିସାବରେ ସମାଜର ବାସ୍ତବ ଚିତ୍ରକୁ ଯେତିକି କଠୋର ଶବ୍ଦରେ ପରିଚୟ ଦିଅନ୍ତି, ଜଣେ ସାମାଜିକ କର୍ମୀ ହିସାବରେ ସମସ୍ୟାର ସମାଧାନ ପାଇଁ ସେତିକି କୋମଳ ହୃଦୟରେ ଆଗେଇ ଆସନ୍ତି | ସହାୟତା ଆଉ ସହଯୋଗର ହାତ ବଢ଼େଇ କେବେ କାହାରି ମୁହଁରେ ହସ ଫୁଟେଇବାର ଚେଷ୍ଟା ତ କେବେ ସାମାଜିକ ପରିବର୍ତ୍ତନର ମଙ୍ଗ ଧରି ଆଗେଇ ଚାଲନ୍ତି | ବୟସର ଅସହାୟତା ତାଙ୍କ ପାଖରେ ହାର ମାନିଛି | ଅବସର ପରବର୍ତ୍ତୀ ଜୀବନରେ ବି ଯୁବସୁଲଭ ଉଦ୍ଦାମତ୍ତା ତାଙ୍କୁ ସମସମୟିକାଙ୍କ ଭିତରେ କରିଛି ନିଆରା | ସାମାଜିକ ଦାୟୀତ୍ୱବୋଧତା, ସାରସ୍ୱତ ପ୍ରତିଭା ଆଉ ଆଧ୍ୟାତ୍ମିକତାର ମିଶ୍ରଣ ଭଳି ଜଣେ ବ୍ୟକ୍ତିତ୍ୱ ହେଲେ ମୁରଲୀଧର ହୋତା |
କୃଷି ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ଚାକିରୀ ଜୀବନ ଆରମ୍ଭ | ପରେ 2009 ମସିହାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଅଫିସର ଭାବେ ଅବସର ଗ୍ରହଣ | ଅବସର ପରେ ଓଡ଼ିଆ ସାହିତ୍ୟ ପ୍ରତି ଥିବା ଅତିଶୟ ଆଗ୍ରହ ସହ ଭଲ ପାଇବା ହିଁ ଲେଖା ଲେଖି ଦୁନିଆକୁ ଟାଣି ଆଣିଥିଲା ତାଙ୍କୁ | ପ୍ରଥମରୁ ଓଡ଼ିଆ ସାହିତ୍ୟ ପ୍ରତି ମମତ୍ଵବୋଧ, ପ୍ରୀତି ଓ ଭଲପାଇବା ଥିଲା | ସେଇ ସବୁକୁ ବ୍ୟବହାର କରି ଲେଖା ଲେଖି ଆରମ୍ଭ କଲେ ମୁରଲୀଧର ବାବୁ | ଚାକିରୀ ବେଳେ କାର୍ଯ୍ୟବ୍ୟସ୍ତତା ହେତୁ ସମୟ ହେଉନଥିଲା | ଅବସର ପରେ ଘରେ ବସି ବସି ବିରକ୍ତି ଲାଗିବାରୁ ସବୁବେଳେ ଲେଖାରେ ମନୋନିବେଶ କରିଥିଲେ ସେ | ସେଇ ଲେଖାଲେଖିର ଛୋଟିଆ ଧାର ବର୍ତ୍ତମାନ ପାଲଟିଛି ଅନେକଙ୍କ ପାଇଁ ପ୍ରେରଣା | ସମାଜରେ ଜଣେ ପ୍ରାବନ୍ଧିକ ଏବଂ ସ୍ତମ୍ଭକାର ହିସାବରେ ଦେଇଛି ସ୍ୱତନ୍ତ୍ର ପରିଚୟ |
ନିଜର ସାମାଜିକ ଓ ସାରସ୍ୱତ ଜୀବନ ବିଷୟରେ ମୁରଲୀଧର ବାବୁ କୁହନ୍ତି, ମୁଁ କିଛି ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଅଛି | ସେହି ଅନୁଷ୍ଠାନ ଗୁଡିକରେ ସମାଜର ହିତ ପାଇଁ ଲୋକଙ୍କ କଲ୍ୟାଣ ନିମନ୍ତେ ଯାହା କାର୍ଯ୍ୟକ୍ରମ କରାଯାଏ ମୁଁ ସେଥିରେ ସକ୍ରିୟ ଅଂଶଗ୍ରହଣ କରେ ଏବଂ ଯଥା ସାଧ୍ୟ ସହାୟତା ପ୍ରଦାନ କରରିଥାଏ | ମୋର ଲେଖା ସବୁ ବସ୍ତୁତ୍ୱ ନୀତିବାଦ, ଆଦର୍ଶବାଦ, ରାଷ୍ଟ୍ରବାଦ ଏବଂ ଭାରତୀୟ ସଭ୍ୟତା ସଂସ୍କୃତି ଉପରେ ପର୍ଯ୍ୟବେସିତ | ଆଧ୍ୟତ୍ମିକବାଦ ଉପରେ ଲେଖା ସବୁକୁ ଯେତେବେଳେ ଜଣେ ପାଠକ ପଢି ସାରିବା ପରେ ଫୋନ କରି ଆଗ୍ରହ ଦେଖନ୍ତି ସେତେବେଳେ ନିଜକୁ ଖୁବ ଆତ୍ମସନ୍ତୋଷ ଲାଗେ | ପ୍ରାୟ 10 ବର୍ଷ ତଳୁ ଲେଖା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 5 ଖଣ୍ଡ ପୁସ୍ତକ ରଚନା କରିସାରିଲେଣି | ପ୍ରଥମ ବହିର ନାଁ ‘ସମ୍ଭବାମି ଯୁଗେଯୁଗେ’ ଏବଂ ପରେ ପରେ ଚେତନାର ଝଲକ, ଉତ୍ତମ ସଂଗେ ସଙ୍ଗ ଯାର, ଚିନ୍ତା ଚିନ୍ତନ ଓ ଚେତନା, ସାହିତ୍ୟରେ ସଂସ୍କୃତିର ଝଲକ ଏହିପରି ଆଉ ଚାରି ଗୋଟି ପୁସ୍ତକର ରଚନା କରି ସାରିଲେଣି | ତାଙ୍କର ଏକ କବିତା ପୁସ୍ତକର ପାଣ୍ଡୁଲିପି ନିକଟ ଭବିଷ୍ୟତରେ ପ୍ରକାଶ ପାଇବ | ତାଙ୍କର ପ୍ରତ୍ୟେକ ଲେଖାରେ ମୂଲ୍ୟବୋଧ ଭିତ୍ତିକ ସାମାଜିକ ବାର୍ତ୍ତା ନିହିତ ଥାଏ ଯାହା ସମସାମୟିକ ଲେଖାରେ ଖୁବ କମ ଦେଖିବାକୁ ମିଳେ | ବ୍ୟାପକ ଅଧ୍ୟୟନ ଓ ବାରମ୍ବାର ପ୍ରୟୋଗର ଅଭ୍ୟାସ ସାଧାରଣ ମଣିଷକୁ ଏକ ଅତିମାନବ ସ୍ତରରେ ପହଞ୍ଚାଇ ପାରିବ ବୋଲି ତାଙ୍କ ସମସ୍ତ ଲେଖାରେ ସେ ଦର୍ଶାଇଥାନ୍ତି |
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଚାଷୀଖଣ୍ଡ ଠାରେ ଜନ୍ମ ଗ୍ରହଣ କରିଥିବା ମୁରଲୀଧର ସେପତ୍ନୀକ କଟକରେ ରହି ଆସୁଛନ୍ତି | ପିଲାମାନେ ନିଜ ନିଜ କ୍ଷେତ୍ରରେ ଜୀବନଜୀବିକା ଆରମ୍ଭ କଲାପରେ ସେ ଦାୟିତ୍ୱମୁକ୍ତ ହୋଇ ବସି ନାହାନ୍ତି, ବରଂ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ଅଛନ୍ତି |
କଟକ ଜିଲ୍ଲା ବ୍ରାହ୍ମଣ ମହାସଭା, ମହାନଦୀ ବିହାର ଡେଭେଲପମେଣ୍ଟ ଆସୋସିଏସନ, ମହାନଦୀ ବିହାର ପେନସନ ଆସୋସିଏସନ ପରି ସାମାଜିକ ଅନୁଷ୍ଠାନ ସହ ସେ ଜଡିତ | ସ୍ଥାନୀୟ ଏକ ସ୍କୁଲରେ ବେଞ୍ଚ ଡେସ୍କ ପରି ଆବଶ୍ୟକ ଉପକରଣ ଯୋଗାଇ ଦେବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରି ସେମାନଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି | ବ୍ରାହ୍ମଣ ମହାସଭାର ଉପସଭାପତି ଭାବେ ଗରିବ ବ୍ରାହ୍ମଣ ପିଲାମାନଙ୍କ ପାଇଁ ଅନେକ କିଛି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ |
ଜଣେ ପ୍ରାବନ୍ଧିକ, ଲେଖକ ହିସାବରେ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସରକାରଙ୍କ ଦ୍ରୁଷ୍ଟିଭଙ୍ଗୀକୁ ସେ ଦୃଢ଼ ଭାବେ ସମାଲୋଚନା କରନ୍ତି | ସଂରକ୍ଷଣ ଯେଉଁ ଉଦ୍ୟେଶ ନେଇ କରାଯାଇଥିଲା ବର୍ତ୍ତମାନ ତାହା ଭୋଟ ବ୍ୟାଙ୍କର କଳୁଷିତ ରାଜନୀତିରେ ତାର ମୂଳଲକ୍ଷ୍ୟ ଠାରୁ ବହୁ ଦୂରରେ | ତାହା ଏବେ ସମାଜରେ ଅଧିକ ଭେଦଭାବ ସୃଷ୍ଟି କରୁଛି ଏବଂ ଏହାର ପ୍ରତିକାର ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ଦିଅନ୍ତି ମୁରଲୀଧର |
ଜୀବନରେ ଯାହା ଚାହିଁଛି ଅଳ୍ପ ବହୁତେ କରିପାରିଛି | ଅବଶୋଷ ବୋଲି କିଛି ନାହିଁ | ବଞ୍ଚିଥିବା ଯାଏ ଅନ୍ୟର କିଛି କାମରେ ଆସିପାରିଲେ ଜୀବନ ସାର୍ଥକ ହେବ ବୋଲି କୁହନ୍ତି ସେ | ବୟସ ଜନିତ ଅସୁସ୍ଥତା ହେତୁ ଘରେ କିଛି କାମ କରିବାକୁ ନଥିଲେ ମଧ୍ୟ ବିଭିନ୍ନ ସାମାଜିକ କାମରେ ସେ ବାହାରିପଡନ୍ତି | ଏଥି ପାଇଁ ସେ ନିଜ ପତ୍ନୀଙ୍କ ସହଯୋଗକୁ ପ୍ରେରଣା ବୋଲି ମାନନ୍ତି | ସେ କୁହନ୍ତି, ଏ ବୟସରେ ନିଜ ଋଚି ଅନୁସାରେ କିଛି ନା କିଛି କାମ କରିବା ଦରକାର | ଯଦି କିଛି ନକରିବେ ତେବେ ସ୍ଥାଣୁ ପାଲଟିଯିବେ ଆଉ ଶାରୀରିକ ସହ ମାନସିକ ଭାବେ ଅସୁସ୍ଥ ହୋଇପଡିବେ, ଯାହାକୁ ସେ ମୋତେ ପସନ୍ଦ କରନ୍ତି ନାହିଁ | ଆମେ ପ୍ରତ୍ୟେକ ମଣିଷ ଏ ସମାଜରୁ କିଛି ନା କିଛି ଉପକାର ପାଇଛେ, ତାର ପ୍ରତି ବଦଳରେ ଆମକୁ କିଛି ହେଲେ କର୍ତଵ୍ୟ ଅନୁଯାୟୀ ଫେରେଇବାକୁ ହେବ | ନହେଲେ ଆମେ ସମାଜ ପାଖରେ ଋଣୀ ହୋଇଯିବା ଆଉ ଆମ ସମାଜର ପରବର୍ତ୍ତୀ ପିଢ଼ି ଆମକୁ କେବେ ବି କ୍ଷମା ଦେବନି |
ସାକ୍ଷାତକାର : ମିଲନ କୁମାର ପ୍ରଧାନ

Leave a Reply

Your email address will not be published. Required fields are marked *