ରାଜ୍ୟ

ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Spread the love

ରାଜଧାନୀରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ଆଉ ପାଦେ ଆଗେଇଛି। ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ମେଟ୍ରୋ ରେଲ୍ ଡିପିଆରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ମେଗା ପ୍ରକଳ୍ପ ପାଇଁ ୫୯୨୯ କୋଟି ବ୍ୟୟବରାଦ କରିଛନ୍ତ ରାଜ୍ୟ ସରକାର। ଏହା ସହିତ ସପ୍ଲିମେଣ୍ଟାରୀ ବଜେଟରେ ୧୨୦ ଟଙ୍କା ମଞ୍ଜୁର କରାଯାଇଛି। ତ୍ରିଶୂଳିଆରୁ ଭୁବନେଶ୍ଵର ଏୟାରପୋର୍ଟ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବ। ଏହା ମଧ୍ୟରେ ୧୦ଟି ଷ୍ଟେସନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ନୂଆ ପରିକଳ୍ପନା ଅନୁସାରେ, ରାସ୍ତାରୁ ପ୍ରାୟ ୮ ମିଟର (ପ୍ରାୟ ୨୬.୨୪ ଫୁଟ୍‌) ଉପରେ ରହିବ ଫ୍ଲାଏଓଭର । ତା’ ଉପରେ ଯିବ ମେଟ୍ରୋ । ମାଟିରୁ ୧୪ ମିଟର ଉପରେ (ପ୍ରାୟ ୪୬ ଫୁଟ) ମେଟ୍ରୋ ରେଳ ପଥ ରହିବ । ଏସବୁ ଦିଗକୁ ଲକ୍ଷ୍ୟ କରି ମେଟ୍ରୋ ପାଇଁ ଡିପିଆର୍‌ରେ ପ୍ରସ୍ତୁତ କରାଯାଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ରେଳ ପଥ ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇଛି। ମାତ୍ର ଏହା ପୂର୍ବରୁ ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଟ୍ରାଫିକ ଭିଡ଼ କମାଇବା ପାଇଁ ୬ଟି ଫ୍ଲାଏଓଭର (ରାଜଭବନ ଛକରୁ ନନ୍ଦନକାନନ), ୨ଟି ଭୂତଳ ବଜାର ଓ ୨ଟି ଭୂତଳ ରାସ୍ତା ଯୋଜନା ହୋଇଥିଲା । ହେଲେ ମେଟ୍ରୋ ପ୍ରକଳ୍ପର ଡିପିଆର୍‌ରେ ଏ ବାବଦରେ କିଛି ବି ଉଲ୍ଲେଖ କରାଯାଇନାହିଁ । ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ମେଟ୍ରୋ ପ୍ରକଳ୍ପ ପାଇଁ ରାଜଭବନରୁ ନନ୍ଦନକାନନକୁ ପ୍ରସ୍ତାବିତ ଫ୍ଲାଏଓଭର, ଭୂତଳ ବଜାର ଯୋଜନା ବାତିଲ ହୋଇଗଲା ବୋଲି ଅନୁମାନ କରାଯାଉଥିଲା ।

ରାଜଧାନୀର ସବୁଠୁ ବ୍ୟସ୍ତ ଓ ଭିଡ଼ ରୁଟ ରାଜଭବନ- ନନ୍ଦନକାନନ ପର୍ଯ୍ୟନ୍ତ ୧୬ କିଲୋମିଟର ରାସ୍ତା ପାଇଁ ପୂର୍ବରୁ ମେଗା ଯୋଜନା ହୋଇଥିଲା । ଏହି ରାସ୍ତାର ୬ଟି ପ୍ରମୁଖ ସ୍ଥାନରେ ଫ୍ଲାଏଓଭର ନିର୍ମାଣ ଯୋଜନା ରହିଛି । ପ୍ରଥମ ଫ୍ଲାଏଓଭର ପାୱାର ହାଉସ ଛକରୁ ଆରମ୍ଭ ହୋଇ ଶାସ୍ତ୍ରୀନଗର ଓ ପଟେଲ ମାର୍ଗ ଟ୍ରାଫିକ ଛକ ପାଖ ତଳ ରାସ୍ତାରେ ମିଶିବ । ଅଳ୍ପ କିଛି ବାଟ ଯିବା ପରେ ଆଉ ଏକ ଫ୍ଲାଏଓଭର ଆରମ୍ଭ ହେବ । ନୂଆପଲ୍ଲୀ ବେହେରା ସାହି-ନିକୋ ପାର୍କ ସଂଯୋଗ କରୁଥିବା ଛକ ଉପର ଦେଇ କଳିଙ୍ଗ ଷ୍ଟାଡିୟମ ସାମ୍ନା ଫୁଟଓଭର ବ୍ରିଜ୍‌ ପୂର୍ବରୁ ରାସ୍ତାରେ ମିଶିବ ଏହି ଫ୍ଲାଏଓଭର ।

କଳିଙ୍ଗ ଷ୍ଟାଡିୟମ ସାମ୍ନା ରାସ୍ତାରେ ମାଟି ତଳେ ହେବ ଭୂତଳ ବଜାର । ଷ୍ଟାଡିୟମ ସାମ୍ନାରୁ ଭେଙ୍କଟେଶ୍ୱରସ୍ୱାମୀ ମନ୍ଦିର (ପୁରୁଣା ତିରୁମାଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପ) ପାଖ ପର୍ଯ୍ୟନ୍ତ ଏହି ଭୂତଳ ବଜାର ରହିବ । ଗାଡ଼ି ପାର୍କିଂ ପାଇଁ ମଧ୍ୟ ସେଠାରେ ବ୍ୟବସ୍ଥା ରହିବ । ପୁରୁଣା ତିରୁମାଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପ ପାଖରୁ ଉଠିବ ଆଉ ଏକ ଫ୍ଲାଏଓଭର, ଯାହାକି ଜୟଦେବବିହାର ଫ୍ଲାଏଓଭର ଉପରେ ଉପରେ ଯିବ । ଏହା ମେ’ ଫେୟାର ଛକ ପାଖରେ ରାସ୍ତାକୁ ଛୁଇଁବ । ଜନତା ମଇଦାନ ସାମ୍ନା ରାସ୍ତା ତଳେ ଆଉ ଏକ ବିଶାଳ ଅତ୍ୟାଧୁନିକ ଭୂତଳ ବଜାର ରହିବ । କଳିଙ୍ଗ ହସ୍ପିଟାଲ ଛକ ପୂର୍ବରୁ ଅରଣ୍ୟ ଭବନ ପାଖରୁ ପୁଣି ଏକ ଫ୍ଲାଏଓଭର ରେଳ ସଦନ ପର୍ଯ୍ୟନ୍ତ ଯିବ। ଡମଣା ଛକ ପାଖରୁ ଆଉ ଏକ ଫ୍ଲାଏଓଭର ଉଠି ପଟିଆ ଛକ ପୂର୍ବରୁ ତଳ ରାସ୍ତାରେ ମିଶିବ । ଏହି ରାସ୍ତାରେ କିଛି ବାଟ ଆଗକୁ ବଢ଼ିବା ପରେ ପଟିଆ ଛକ ପୂର୍ବରୁ ଭୂତଳ ରାସ୍ତା ଫିଟିବ । ପରେ କିଟ୍‌ ଛକ (ମ୍ୟାଗେନଟିକ୍‌ ସ୍କୋୟାର) ପାଖରୁ ଆଉ ଏକ ଭୂତଳ ରାସ୍ତା ବାହାରିବ । ଏହି ଭୂତଳ ରାସ୍ତା ରଘୁନାଥପୁର ବ୍ରିଜ୍‌ ପୂର୍ବରୁ ଉପର ରାସ୍ତା ସହ ସଂଯୋଗ ହେବ ।

ଅପରପକ୍ଷରେ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟବିହାର ଛକ, ଜୟଦେବବିହାର, ଜାଭିୟର ଛକ, ରେଳ ସଦନ, ଡ୍ରିଷ୍ଟିକ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍‌ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଦେଇ ତ୍ରିଶୁଳିଆ ଛକରେ ପହଞ୍ଚିବ । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ପଥ ପ୍ରାୟତଃ ମେଡିଆନ୍‌ ଉପରେ ନିର୍ମାଣ ହେବ । ପ୍ରିକାଷ୍ଟ ଟେକ୍ନୋଲୋଜିରେ ନିର୍ମାଣ କାର୍ଯ୍ୟ କରାଯିବ ।

Leave a Reply

Your email address will not be published. Required fields are marked *