ବ୍ୟକ୍ତିତ୍ୱ

ଓଡ଼ିଶାରେ ମହିଳା ମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି, ଆଶା ନକରି କାମ କରିଚାଲିଲେ ସଫଳତା ନିଶ୍ଚିତ : ଜୋତ୍ସ୍ନାମୟୀ

Spread the love

ସାମାଜିକ କାର୍ଯ୍ୟ ପ୍ରତି ଥିଲା ଅହେତୁକ ଝୁଙ୍କ | ଲୋକଙ୍କ ସହ ଯୋଡି ହୋଇ ତାଙ୍କ ପାଇଁ କାମ କରିବାରେ ସେ ପାଉଥିଲେ ଆନନ୍ଦ | ରାଜନୀତିକୁ ଆସିବା ତାଙ୍କ ପାଇଁ ଅତ୍ୟାପ୍ରଶିତ ଥିଲା | କଲେଜ ପଢା ସରୁସରୁ ଏକ ସୁଯୋଗ ଆସି ପହଁଚିଲା ଆଉ ସେ ତାର ସଦୁପଯୋଗ କରି ଆଗେଇ ଆସିଥିଲେ | ଲୋକଙ୍କ ସହ ମିଶିବାର, ଅସହାୟଙ୍କ ସେବା କରିବାର ଯେଉଁ ଇଚ୍ଛା ଥିଲା ତାହା ସେ ସାକାର କରିବାରେ ଲାଗିପଡ଼ିଲେ | ସମାଜସେବାରୁ ରାଜନୀତି ସବୁଠି ସଫଳତାର ସ୍ଵାକ୍ଷର | ଏମିତି ଜଣେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ହେଲେ ଜ୍ୟୋତ୍ସ୍ନା | ଜଣାଶୁଣା ସମାଜସେବୀ, ଶିକ୍ଷାବିତ ଜ୍ୟୋତ୍ସ୍ନାମୟୀ ପରିଡା | ଆଉ ଏବେ ବିଜୁ ଯୁବ ଜନତା ଦଳର ଉପ-ସଭାପତି ଭାବେ ରାଜନୀତିରେ ରହି ସଫଳତାର ସହ ଦାୟିତ୍ୱ ତୁଲାଉଛନ୍ତି | ତା ସହ ଆଇନ ଶିକ୍ଷା ସମାପ୍ତ କରି ପ୍ରାକ୍ଟିସ ଜାରିରଖିଛନ୍ତି | ଶିକ୍ଷା ତାଙ୍କର ସ୍ନାତକତ୍ତୋର ପରେ ପରେ ଏଲ.ଏଲ.ବି | ପ୍ରାୟ ୨୦ ବର୍ଷ ହେବ ନିଜ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଓମ ସାଇ ଟ୍ରଷ୍ଟ ସଂସ୍ଥା ଅଧୀନରେ ୟୁରୋ କିଡ଼ସ ଇଣ୍ଟରନେଶନାଲ ନାମରେ ପ୍ରି-ସ୍କୁଲ ମଧ୍ୟ ପରିଚାଳନା କରନ୍ତି ସେ | ଏତେ ସବୁ ଦାୟିତ୍ୱ ଭିତରେ ବିଭିନ୍ନ ସାମାଜିକ କାମ ସହ ଜଡିତ ଥାଇ ଲୋକଙ୍କ ପାଇଁ ସବୁବେଳେ କାମ କରିଆସୁଛନ୍ତି | ଓମ ସାଇ ଟ୍ରଷ୍ଟ ଅନୁକୁଲ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା, ଚାରାରୋପଣ, ଜଏ ଅଫ ଗିଭିଙ୍ଗ ପରି ସେବା କାର୍ଯ୍ୟ, କ୍ୟାନସର ସଚେତନତା କାର୍ଯ୍ୟକ୍ରମ, ଅସହାୟଙ୍କୁ ଖାଦ୍ୟ ବସ୍ତ୍ର ବଣ୍ଟନ ପରି କାମ କରିଆସୁଛନ୍ତି |
ଓଡ଼ିଶା ସଂସ୍କୃତି ଓ ପରମ୍ପରା ସୁରକ୍ଷା ସମିତି ଅନୁଷ୍ଠାନ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ରସାବଳୀ ଦିବସରେ ଜ୍ୟୋତ୍ସ୍ନାମୟୀଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା | କେନ୍ଦ୍ରାପଡ଼ାରୁ ଉତ୍ପତ୍ତି ରସାବଳୀ ଓଡି଼ଶାର ଏକ ଲୋକପ୍ରିୟ ମିଠା | ହେଲେ ଏହାର ମହତ୍ୱ ବହୁତ କମ ଲୋକ ଜାଣନ୍ତି | ଶ୍ରୀ ବଳଦେବଜୀଉଙ୍କ ମନ୍ଦିରର ସେବକ ମାନେ, ମିଠା ବ୍ୟବସାୟ ମାନେ ତଥା କେନ୍ଦ୍ରାପଡ଼ାର ବହୁ ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି ଯେ, ଅନ୍ୟଜାଗାର ରସାବଳୀ କେନ୍ଦ୍ରାପଡ଼ାର ରସାବଳୀ ଠାରୁ ବହୁତ ଭିନ୍ନ ଓ ମୂଳ ସ୍ୱାଦ ଭଳି ଲାଗି ନଥାଏ | ପ୍ରାକୃତିକ ଓ ପାରମ୍ପରିକ ଭାବେ ଏହା ଅନ୍ୟ ସ୍ଥାନ ଠାରୁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥାଏ | କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ପାଖରେ ମୁଖ୍ୟ ଭୋଗ ଭାବେ ଲାଗି ହେଉଥିବା ରସାବଳୀ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ରାଜଧାନୀରେ ଏଭଳି ଏକ ଉତ୍ସବର ଆୟୋଜନ କରିଥିଲେ ସେ | ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଦିନ ଗହ୍ମା ପୂର୍ଣ୍ଣିମା ଦିନ ଏହି ଉତ୍ସବ ଆୟୋଜନ ହୋଇଥିଲା | ବର୍ତ୍ତମାନ ରସାବଳୀ ଜିଆଇ ମାନ୍ୟତା ପାଇବା ପରେ ସେ ବହୁତ ଖୁସି ବୋଲି କୁହନ୍ତି | ଏହାର ସମସ୍ତ ଶ୍ରେୟ ହାତଯୋଡ଼ି ପ୍ରଣାମ ପୂର୍ବକ ଶ୍ରୀ ବଳଦେବଜୀଉଙ୍କୁ ଦିଅନ୍ତି ବୋଲି ମୁକ୍ତ କଣ୍ଠରେ କୁହନ୍ତି ସେ |
ଏହି ଅନୁଷ୍ଠାନର ଅନ୍ୟ ଏକ ଉଲ୍ଲେଖନୀୟ କାମ ହେଲା ଓଡ଼ିଶାର ଲୋପ ପାଇଁ ଯାଉଥିବା ଲୋକ କଳା, ସାମାଜିକ ଚଳଣୀ, ପ୍ରଥା ପରମ୍ପରାକୁ ଉଜ୍ଜୀବିତ କରି ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଇବା | ପାରମ୍ପରିକ ରୀତିନୀତି କେମିତି ଆମ ସମାଜରେ ସଦାସର୍ବଦା ରହିବ ଏବଂ ଆମର ପରବର୍ତ୍ତୀ ପିଢ଼ି କେମିତି ଏସବୁକୁ ଅନୁସରଣ କରିବେ ଏଦିଗରେ ମଧ୍ୟ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି |
କେନ୍ଦ୍ରାପଡାରେ ଜନ୍ମିତ ଜୋତ୍ସ୍ନାମୟୀ ସେହିଠାରେ ହିଁ ସ୍କୁଲ ଓ କଲେଜ ଶିକ୍ଷା ସମାପ୍ତ କରିଥିଲେ | କେନ୍ଦ୍ରାପଡା କଲେଜରେ ପଢିବା ସମୟରେ ହଷ୍ଟେଲରେ ରହୁଥିଲେ | କଲେଜ ପଢା ସରିବା ପରେ ରାଜନୀତିରେ ପ୍ରବେଶ ବିଷୟରେ ସେ କୁହନ୍ତି କି, ପରିବାରରେ କେହି ଆଗରୁ ରାଜନୀତିରେ ନଥିଲେ ମଧ୍ୟ କଲେଜ ପଢା ସରିବା ପରେ ପଞ୍ଚାୟତର ମୁରବି ତଥା ସ୍ଥାନୀୟ ନେତୃବୃନ୍ଦ ମୋତେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଚୟନ କରି ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲେ | କେମିତି ମୋତେ ସେମାନେ ବାଛିଲେ ସେଇଟା ମୋ ପାଇଁ ଆଶ୍ଚଯ୍ୟ କଥା, ହେଲେ ଯେହେତୁ ମୋ ଉପରେ ଭରସା କରିଥିଲେ ସେଥି ଯୋଗୁ ମୁଁ ଆଗେଇ ଆସିଥିଲି ବୋଲି କୁହନ୍ତି ସେ | କିଛି ମିଳୁ କି ନମିଳୁ ଏହା ମାଧ୍ୟମରେ ମୁଁ ଲୋକଙ୍କ ସହ ସିଧାସଳଖ ଯୋଡି ହେବାର ବହୁତ ବଡ଼ ସୁଯୋଗ ପାଇଛି | ପ୍ରଥମେ ପରିବାର ଲୋକେ ମୋର ଏହି ନିଷ୍ପତ୍ତିରେ ଖୁସି ନଥିଲେ ବି ଲୋକଙ୍କ ସେବା କରିବାରେ ଯେଉଁ ଆନନ୍ଦ ମିଳେ ତାହା ପାଖରୁ ଦେଖି ପରବର୍ତ୍ତୀ ସମୟରେ ଆଉ ବିରୋଧ କରିନଥିଲେ | ପର୍ଯ୍ୟାୟକ୍ରମେ ରାଜନୀତିରେ ଆଗକୁ ଆସି ବିଜୁ ଜନତା ଦଳରେ ଯୋଗଦେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ଦେଇଥିବା ବିଭିନ୍ନ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ସହ ବିଜୁ ଜନତା ଦଳର ଲୋକ କଲ୍ୟାଣକାରୀ ବ୍ୟବସ୍ଥାରେ ଅନୁପ୍ରାଣିତ ହୋଇ ଏହି ଦଳରେ ଯୋଗ ଦେଇଥିଲି | ବହୁ ପଦପଦବୀରେ ନିଷ୍ଠାପର ଭାବରେ ଦାୟିତ୍ୱ ନିର୍ବାହ କରିସାରିଛି | ମିଡ଼ିଆ ପ୍ୟାନେଲିଷ୍ଟ ଭାବେ ମଧ୍ୟ କାମ କରିଛି | ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ତାହା ମଧ୍ୟ ନିଷ୍ଠାର ସହ କରିବି |
ଜଣେ ମହିଳା ଭାବେ ଏତେ ସବୁ ଦାୟିତ୍ୱ ତୁଲାଉଥିବା ବେଳେ କେବେ ବି ନିଜକୁ ଅସହାୟ ମନେ କରିନାହାନ୍ତି ଜୋତ୍ସ୍ନାମୟୀ | ନିକଟରେ ବିଲରେ ପରିଣତ ହୋଇଥିବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବା ମହିଳା ସଂରକ୍ଷଣ ଉପରେ ତାଙ୍କର ମତ ହେଲା ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ | ଓଡ଼ିଶାରେ ପ୍ରଥମେ ସ୍ବର୍ଗତଃ ବିଜୁ ବାବୁ ପଞ୍ଚାୟତ ସ୍ତରରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଥିଲେ, ଆଉ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହା ଉପରେ ପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯାହା ଏବେ ସଂସଦରେ ପାସ ହୋଇ ବିଲରେ ପରିଣତ ହୋଇ ସାରିଛି ଯାହା ଆମ ପାଇଁ ଗର୍ବ ଓ ଗୌରବର କଥା | ଓଡ଼ିଶାରେ ମହିଳା ମାନେ ବହୁତ ସଶକ୍ତ ଓ ଆଗଧାଡ଼ିରେ ଅଛନ୍ତି ବୋଲି ମୁଁ ଭାବୁଛି |
ଏତେ ସଵୁ କାମ, ଦାୟିତ୍ୱ ଭିତରେ ବହୁ ପୁରସ୍କାର, ସମ୍ମାନ ଲାଭ କରିଛନ୍ତି ଜୋତ୍ସ୍ନାମୟୀ | ହେଲେ ଏସବୁ ତାଙ୍କୁ କେବେ ପ୍ରଭାବିତ କରିପାରିନି ବୋଲି କୁହନ୍ତି ସେ | ସାଧାରଣ ଲୋକଙ୍କ ସହ ମିଶିବା ବେଳେ, ତାଙ୍କ ପାଇଁ କାମ କଲାବେଳେ ଯେଉଁ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଟିକକ ମିଳେ ତାହା ହିଁ ସର୍ବଶ୍ରେଷ୍ଠ ପୁରସ୍କାର ବୋଲି ମାନନ୍ତି ଓ ଏହା ତାଙ୍କୁ ସବୁ ବେଳେ ଦାୟିତ୍ବପୂର୍ଣ୍ଣ ଭାବେ କାମ କରିବାକୁ ପ୍ରେରଣା ଦିଏ ବୋଲି କୁହନ୍ତି |
ପାଠପଢ଼ାରେ ଫିଲୋସଫି ବିଷୟ ଥିବାରୁ ସେ ବହୁତ ବାସ୍ତବବାଦୀ ବୋଲି ସ୍ୱୀକାର କରନ୍ତି | ଆଉ ଏହି କ୍ଷଣସ୍ଥାୟୀ ଜୀବନରେ ଯାହାବି ମିଳୁଛି ଯେମିତି ବଞ୍ଚିବାର ଆଧାର ସୃଷ୍ଟି ହେଉଛି ତାକୁ ନେଇ ଖୁସିରେ ସମୟ କାଟିବାକୁ ସେ ଭଲ ପାଆନ୍ତି | ଭବିଷ୍ୟତରେ କିଛି ଗୋଟେ ବଡ଼ କାମ କରିବି କିମ୍ବା କିଛି ଗୋଟେ ହେବି ସେମିତି ନଭାବି କେବଳ କାମ କରିଯିବାକୁ ସେ ପସନ୍ଦ କରନ୍ତି |
ସମାଜସେବା ଓ ରାଜନୀତିରେ ନୂଆ ନୂଆ ପାଦ ଥାପୁଥିବା ଯୁବକ ଯୁବତୀ ମାନଙ୍କୁ ନେଇ ସେ କୁହନ୍ତି, ଯଦି ମନଭିତରେ ସେବା ମନୋଭାବ ଅଛି ତେବେ ନିଶ୍ଚିତ ଆସିବା କଥା | ବର୍ତ୍ତମାନ ଓଡ଼ିଶାରେ ବହୁତ ଭଲ ସୁଯୋଗ ସୃଷ୍ଟି ହୋଇଛି | ରାଜନୀତି ଠାରୁ ଆରମ୍ଭ କରି ଉଦ୍ୟୋଗ ଓ ସେବା କ୍ଷେତ୍ରରେ ମଧ୍ୟ ଯୁବବର୍ଗ ପାଇଁ ଯଥେଷ୍ଟ ସୁବିଧା ସୁଯୋଗ ତିଆରି କରାଯାଇଛି | ତେଣୁ କେହି ଯଦି ଆନ୍ତରିକ ଭାବେ କିଛି କାମ କରୁଛନ୍ତି ତେବେ ସଫଳ ହେବା ନିଶ୍ଚିତ |
ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଦାୟିତ୍ୱ ତୁଲାଇବାରେ ସଫଳ ରହିଥିବାରୁ ସେ କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ପାଖରେ ନତମସ୍ତକ ସହ ନିଜ ପରିବାରକୁ ମଧ୍ୟ ଶ୍ରେୟ ଦିଅନ୍ତି | ଯେତେଦିନ ପର୍ଯ୍ୟନ୍ତ ଏସବୁ ସହଯୋଗ ଓ ସୁଯୋଗ ଅଛି ସେତେଦିନ ଯାଏ ସାଧାରଣ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଚାଲିଥିବି ବୋଲି ଟିକେ ହସି କୁହନ୍ତି ଜୋତ୍ସ୍ନାମୟୀ |

ସାକ୍ଷାତକାର : ମିଲନ

Leave a Reply

Your email address will not be published. Required fields are marked *