Politics

ବିହାର ଏନ୍‌ଡିଏରେ ଫାଟ ; କେନ୍ଦ୍ରୀୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ

Spread the love

ବିହାର ଏନ୍‌ଡିଏରେ ସୃଷ୍ଟି ହୋଇଛି ଫାଟ। ଗୋଟିଏ ବି ଆସନ ନ ମିଳିବା ପରେ ଅସନ୍ତୁଷ୍ଟ ହୋଇ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପଶୁପତି ପାରସ। ତାଙ୍କ ଗୋଷ୍ଠୀକୁ ଲୋକସଭା ନିର୍ବାଚନରେ କୌଣସି ସିଟ୍ ଦିଆନଯିବାରୁ ସେ ଇସ୍ତଫା ଦେଇଛନ୍ତି।

ଗତକାଲି ବିହାରର ଏନଡିଏ ମେଣ୍ଟର ସିଟ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିଲା। ଏଲଜେପିର ଚିରାଗ ପାଶ୍ୱାନଙ୍କ ଗୋଷ୍ଠୀକୁ ଅଂଶୀଦାର ଭାବେ ଗ୍ରହଣ କରି ୫ଟି ସିଟ୍ ଦିଆଯାଇଛି। କିନ୍ତୁ ପାରଶଙ୍କ ଗୋଷ୍ଠୀକୁ ଗୋଟିଏ ବି ସିଟ୍ ଦିଆଯାଇନଥିଲା, ଯଦିଓ ତାଙ୍କ ଗୋଷ୍ଠୀରେ ୫ ଜଣ ସାଂସଦ ଅଛନ୍ତି। ତେଣୁ ଏହାକୁ ନେଇ ପାରସ ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଇଛନ୍ତି। ସେ ଆରଜେଡି-କଂଗ୍ରେସ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।

ଇସ୍ତଫା ଦେବା ପରେ ପଶୁପତି ପାରସ କହିଛନ୍ତି, ‘ଏନ୍‌ଡିଏ ମିଳିତ ମଞ୍ଚର ଘୋଷଣା ହୋଇସାରିଛି ଏବଂ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି। କିନ୍ତୁ ମୋ ତଥା ମୋ ଦଳ ପ୍ରତି ଅନ୍ୟାୟ କରାଯାଇଛି। ଏହି କାରଣରୁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।’

ଗତ ନିର୍ବାଚନ ବେଳେ ଏନଡିଏ ମେଣ୍ଟରେ ଥାଇ ମଧ୍ୟ ବିହାରରେ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇଥିଲେ ଚିରାଗ। ଏହା ଦ୍ୱାରା ନୀତୀଶ କୁମାରଙ୍କୁ ବହୁତ ଘାଟା ହୋଇଥିଲା। ଏପରିକି ତାଙ୍କ ବିଧାୟକ ସଂଖ୍ୟା ୫୦ ବି ଡେଇଁ ପାରିନଥିଲା। ପରେ କିନ୍ତୁ ଚିରାଗ ବଦଳରେ ତାଙ୍କ କାକା ପଶୁପତି ପାରସଙ୍କୁ ନିଜ ସହଯୋଗୀ ଭାବେ ବାଛିଥିଲା ବିଜେପି। କେନ୍ଦ୍ରରେ ତାଙ୍କୁ ମନ୍ତ୍ରୀ ବି କରାଯାଇଥିଲା।

ଏଲଜେପିକୁ ଭାଗ କରି ନିଜ ପଟକୁ ଅନେକ ନେତାଙ୍କୁ ଆଣି ବିଜେପିର ସହଯୋଗୀ ହୋଇଥିଲେ ପାରସ। କିନ୍ତୁ କିଛି ମାସ ପରେ ପରିସ୍ଥିତି ବଦଳି ଯାଇଥିଲା। ପୂରା ବିହାରରେ ପଦଯାତ୍ରା କରି ରାମବିଳାସ ପାଶ୍ୱାନ ପ୍ରକୃତ ଦାୟାଦ ଭାବେ ନିଜକୁ ପ୍ରତିପାଦିତ କରିଥିଲେ ଚିରାଗ ପାଶ୍ୱାନ। ତେଣୁ ନିର୍ବାଚନୀ ଫାଇଦାକୁ ନେଇ ପୁତୁରାକୁ ବିଜେପି ପସନ୍ଦ କରିଥିବା ବେଳେ କାକାଙ୍କୁ ଛାଡ଼ି ଦେଇଛି।

Leave a Reply

Your email address will not be published. Required fields are marked *