କ୍ରୀଡା

ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟର ଜାଭେରିଆ ଖାନ ୩୫ ବର୍ଷ ବୟସରେ କ୍ରିକେଟରୁ ଅବସର ଘୋଷଣା କଲେ

Spread the love

ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟର ଜାଭେରିଆ ଖାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ୩୫ ବର୍ଷୀୟ ଜାଭେରିଆ ବେଶ ଭାବବିହ୍ୱଳ ବିବୃତି ଜାରି କରି ଦୀର୍ଘ ୧୫ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ବିରାମ ଲାଗିଥିବା କଥା ସମସ୍ତଙ୍କୁ ଜଣାଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରୁ ଜାଭେରିଆ ଅବସର ନେଇଥିଲେ ହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଖେଳା ଯାଉଥିବା ଘରୋଇ ଲିଗ ମ୍ୟାଚ୍‌ ଖେଳିବେ। ୧୭ଟି ଦିନିକିଆରେ ପାକିସ୍ତାନର ନେତୃତ୍ୱ ନେଇଥିବା ଜାଭେରିଆ ଶେଷଥର ପାଇଁ ୨୦୨୩ ମାର୍ଚ୍ଚରେ ପାକିସ୍ତାନ ପକ୍ଷରୁ କୌଣସି ଟି-୨୦ ମ୍ୟାଚ ଖେଳିଥିଲେ।

ସେ ଆଜି କହିଛନ୍ତି, “ଖୁସି ଓ ଦୁଃଖ ରହିଥିଲା। କିନ୍ତୁ ସର୍ବୋପରି ମହାନ ଗର୍ବ ମୋତେ ୧୫ ବର୍ଷ ଧରି ଆଗକୁ ନେଇଥିଲା। ମୋ କ୍ରିକେଟ ଯାତ୍ରାରେ ଅନେକ ଘାତପ୍ରତିଘାତ ଆସିଥିଲେ ହେଁ ପାକିସ୍ତାନ ଜର୍ସୀ ପରିନ୍ଧାନ କରିବାର ଅନୁଭୂତି ସବୁଠାରୁ ଉପରେ ରହିଥିଲା। ମୁଁ ଯେଉଁ ଜିନିଷକୁ ଅଧିକ ଭଲ ପାଉଥିଲି, ସେଇଥିରେ ଜୀବନ ବିତାଇବାକୁ ସୁଯୋଗ ପାଇଥିବାରୁ ଭାଗ୍ୟବାନ ମଣୁଛି। ଆଗକୁ ମଧ୍ୟ ଏହା ଜାରି ରଖିବି।”

ଜାଭେରିଆ ପାକିସ୍ତାନ ପାଇଁ ୨୨୮ଟି ଦିନିକିଆ ବ୍ୟାଚ୍‌ ଖେଳି ୪୯୦୩ ରନ କରିଛନ୍ତି। ଏଥିରେ ୨ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ରହିଛି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୮ଟି ୱିକେଟ ମଧ୍ୟ ନେଇଥିଲେ।

ପାକିସ୍ତାନ ମହିଳା କ୍ରିକେଟରେ ସର୍ବାଧିକ ଦିନିକିଆ ଓ ଟି-୨୦ ରନ ସ୍କୋର କରିବା ତାଲିକାରେ ଜାଭେରିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିସମା ମାରୁଫଙ୍କ ବ୍ୟତୀତ ସେ ଏକମାତ୍ର କ୍ରିକେଟର ଯିଏ ଦିନିକିଆ ଓ ଟି-୨୦ରେ ୨ହଜାରରୁ ଅଧିକ ରନ କରିଛନ୍ତି।

ଜାଭେରିଆ ୨୦୦୯,୨୦୧୩, ୨୦୧୭ ଓ ୨୦୨୨ ଦିନିକିଆ ମହିଳା ବିଶ୍ୱକପରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିଥିଲେ। ସେହିପରି ୨୦୦୯, ୨୦୧୦, ୨୦୧୨, ୨୦୧୪, ୨୦୧୬, ୨୦୧୮, ୨୦୨୦ ଓ ୨୦୨୩ ଟି-୨୦ ବିଶ୍ୱକପ ମଧ୍ୟ ସେ ଖେଳିଛନ୍ତି। ୨୦୧୦ ଓ ୨୦୧୪ ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନ ମହିଳା କ୍ରିକେଟ ଟିମ ସ୍କ୍ୱାଡରେ ଜାଭେରିଆ ରହିଥିଲେ।

 

 

 

 

Leave a Reply

Your email address will not be published. Required fields are marked *