ଇତିହାସ ରଚିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଖୋ ଖୋ ଦଳ
ଭାରତୀୟ ପୁରୁଷ ଓ ମହିଳା ଖୋ ଖୋ ଦଳ ରବିବାର ଇତିହାସ ରଚିଛନ୍ତି। ସ୍ଥାନୀୟ ଇନ୍ଦିରା ଗାନ୍ଧି ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ବିଶ୍ବକପ୍ର ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି। ଫଳରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି। ଉଭୟ ଫାଇନାଲ୍ରେ ନେପାଳକୁ ହରାଇଛି ଭାରତ। ମହିଳା ଫାଇନାଲ୍କୁ ୭୮-୪୦ ଏବଂ ପୁରୁଷରେ ୫୪-୩୬ ପଏଣ୍ଟ୍ରେ ଜିତି ଏହି ଅନନ୍ୟ ସଫଳତା ପାଇଛି। ମହିଳା ଦଳରେ ଓଡ଼ିଶାର ୨ ଜଣ ଶୁଭଶ୍ରୀ ସିଂ ଓ ମାଗାଇ ମାଝୀ ଏବଂ ପୁରୁଷ ଦଳରେ ପବନୀ ଶବର ରହି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।ଏଥିସହ ଓଡ଼ିଶା ସରକାର ମଧ୍ୟ ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ରହିଛନ୍ତି। ଭାରତୀୟ ଦଳର ଐତିହାସିକ ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

