ରାଜ୍ୟ

ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା

Spread the love

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ପୁଲିସ ପାଇଁ ଥିବା ତିନିଟି ପ୍ରମୁଖ ଆହ୍ୱାନ ସଡ଼କ ଦୁର୍ଘଟଣା କମ୍‌ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ଆଲୋଚନା ହୋଇଥିଲା। ରାଜ୍ୟରେ ୨୦୨୪ରେ ୨୬୩୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବର୍ତ୍ତମାନ ୧୪ଟି ଥାନା କାର୍ଯ୍ୟରତ ଅଛି। ସାଇବର ଠକେଇରେ ସାଧାରଣ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଥାନା କାର୍ଯ୍ୟକ୍ଷମ କରିବା ପାଇଁ ଆଉ ୨୦ଟି ନୂତନ ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଥାନାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସେହିପରି ରାଜ୍ୟରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ମାଝୀ କହିଥିଲେ।

Leave a Reply

Your email address will not be published. Required fields are marked *