ରାଜ୍ୟ

ଜାଲ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଦେବା ମହଙ୍ଗା ପଡ଼ିଲା I

Spread the love

ସ୍କୁଲ୍‌ ସାର୍ଟିଫିକେଟ୍‌ ଜାଲିଆତି ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଆବେଦନକାରୀ ତଥା ଆଜୀବନ ଜେଲ୍‌ ଦଣ୍ଡାଦେଶ ପାଇଥିବା ଆସାମୀର ଭିଣୋଇ ଗଣିଆ ଗଗରିଆଙ୍କୁ ହାଇକୋର୍ଟ ଆଜି ଅଦାଲତ ପରିସରରୁ ଗିରଫ ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ । ଗିରଫ ଅଭିଯୁକ୍ତକୁ କଟକ ସଦର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରାଯାଇ ଜେଲ୍‌କୁ ପଠାଇଯାଇଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଭିଯୁକ୍ତ ଜେଲ୍‌ରେ ରହିବେ ବୋଲି ମାମଲାର ଶୁଣାଣି ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୨ ତାରିଖ ଅପରାହ୍ଣ ୨ଟାରେ ଏହି ମାମଲାର ଶୁଣାଣି ହେବ ।

ମାମଲାରୁ ଜଣାଯାଇଛି ଯେ, ଏକ ମାମଲାରେ ସନାତନ ହିସା ନାମକ ଜଣେ ଅଭିଯୁକ୍ତକୁ ତାଳଚେର ଅତିରିକ୍ତ ସେସନ୍ସ ଜଜ୍‌ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସନାତନ ହିସା ତାଙ୍କ ବୟସ ହିସାବକୁ ନେଇ ଏହି ଦଣ୍ଡାଦେଶ କୋହଳ ପାଇଁ ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲା ରୁଜୁ ବେଳେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ୨୦୧୪ ମସିହା ଡିସେମ୍ବର ୭ରେ ଯେତେବେଳେ ଆବେଦନକାରୀ ଅପରାଧିକ କାର୍ଯ୍ୟ କରିଥିଲେ ସେତେବେଳେ ତାଙ୍କ ବୟସ ୧୫ବର୍ଷ ବୟସ ହୋଇଥିଲା । ଏହାର ପ୍ରମାଣ ସ୍ୱରୂପ ବିଦ୍ୟାଳୟ ଟ୍ରାନ୍ସଫର ସାର୍ଟିଫିକେଟ୍‌ ଦର୍ଶାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଆବେଦନକାରୀଙ୍କ ବୟସ ଜାଲିଆତି ହୋଇଥିବା ନେଇ ଅଦାଲତଙ୍କୁ ଅବଗତ କରିଥିଲେ ।

ଆବେଦନକାରୀ ଉଲ୍ଲେଖ କରିଥିବା ସ୍କୁଲ୍‌ରେ ସେଭଳି କୌଣସି ପିଲା ପଢୁନଥିଲେ ବୋଲି ଜଣାପଡ଼ିଥିଲା । ଏହା ଜାଣିବା ପରେ ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଆବେଦନକାରୀଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରିଥିବା ଆଡଭୋକେଟ୍‌ କ୍ଲର୍କ ଦନାର୍ଦନ ସେଠୀଙ୍କୁ ହାଜିର ନିର୍ଦ୍ଦେଶ ଦେଇଥିଲେ । ତେବେ ଅଭିଯୁକ୍ତର ଭିଣୋଇ ହିଁ ଜାଲ ସାର୍ଟିଫିକେଟ୍‌ ଦେଇ ସମସ୍ତଙ୍କୁ ଭ୍ରମିତ କରିଥିବା ଜଣାପଡ଼ିବା ପରେ ହାଇକୋର୍ଟ ତାଙ୍କୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *