କ୍ରୀଡା

ମାଲେସିଆକୁ ହରାଇ ସେମିଫାଇନାଲରେ ଭାରତ

Spread the love

ବୁଧବାର ତୃତୀୟ ଲିଗ୍ ମ୍ୟାଚ୍‌ରେ ଭାରତ ୮-୧ ଗୋଲ୍‌ରେ ମାଲେସିଆକୁ ଏକତରଫା ଭାବେ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି।ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ଜୟଯାତ୍ରା ଜାରି ରହିଛି।ରାଉଣ୍ଡ ରବିନ ପଦ୍ଧତିରେ ଖେଳାଯାଉଥିବା ଏହି ୬ ଦଳୀୟ ପ୍ରତିଯୋଗିତାରେ ଭାରତ ସଂପ୍ରତି ପୂରା ୯ ପଏଣ୍ଟ୍ ପାଇ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ପ୍ରତିଯୋଗିତାର ଫର୍ମାଟ୍ ଅନୁସାରେ ଶୀର୍ଷ ୪ ଦଳ ସେମିଫାଇନାଲ୍ ଖେଳିବାର ହକ୍‌ଦାର ହେଉଥିବାରୁ ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲ୍ ଟିକେଟ ହାସଲ କରି ନେଇଛି।ଆରମ୍ଭରୁ ଶେଷ ଯାଏଁ ଭାରତ ଆ‌ଧିପତ୍ୟ ବିସ୍ତାର କରିଥିବା ଆଜିର ମ୍ୟାଚ୍‌ରେ ଯୁବ ତାରକା ରାଜ କୁମାର ପାଲ୍‌ ମୁଖ୍ୟ ଆକର୍ଷଣ ପାଲଟିଥିଲେ। ଏକାକୀ ତିନିଟି ଗୋଲ୍ (୩, ୨୫, ୩୩ ମିନିଟ୍) ଦେଇ ସେ ହିଁ ମାଲେସିଆର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରିଜିତ ସିଂହ ହୁଣ୍ଡାଲ (୬, ୩୯ ମିନିଟ୍) ଦୁଇଟି ଏବଂ ଯୁଗରାଜ ସିଂହ (୭ ମିନିଟ୍), ଅଧିନାୟକ ହର୍ମନପ୍ରୀତ ସିଂହ (୨୨ ମିନିଟ୍) ଓ ଉତ୍ତମ ସିଂହ (୪୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ମାଲେସିଆ ପକ୍ଷରୁ ଏକମାତ୍ର ସାନ୍ତ୍ବନାମୂଳକ ଗୋଲ୍ ଅଖିମୁଲ୍ଲା ଅନୱର (୩୪ ମିନିଟ୍‌) କରିଥିଲେ। ଏହା ପୂର୍ବରୁ ଭାରତୀୟ ଦଳ ଆୟୋଜକ ଚୀନକୁ ୩-୦ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ବିଜେତା ଜାପାନକୁ ୫-୧ରେ ହରାଇଥିଲା। ପ୍ୟାରିସ୍ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତ ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର କୋରିଆ ଏବଂ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ବୁଧବାରର ଅନ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନ ୨-୧ ଗୋଲ୍‌ରେ ଜାପାନକୁ ପରାସ୍ତ କରି ନିଜ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି।

Leave a Reply

Your email address will not be published. Required fields are marked *