କ୍ରୀଡା

ଜୟରାମଙ୍କୁ କାଂସ୍ୟ, ଲକ୍ଷ୍ମୀଙ୍କୁ ରୌପ୍ୟ

Spread the love

ଚେନ୍ନାଇରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଦକ୍ଷିଣ ଏସୀୟ ଦୌଡ଼କୁଦ ମହାସଂଘ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଶାର ଲକ୍ଷ୍ମୀପ୍ରିୟା କିଶାନ ଓ ମୃତ୍ୟୁମ ଜୟରାମ ଦଣ୍ଡପତି ଚମକ ଦେଖାଇଛନ୍ତି। ଲକ୍ଷ୍ମୀପ୍ରିୟା ୮୦୦ ମିଟର ଦୌଡ଼ରେ ରୌପ୍ୟ ଓ ଜୟରାମ ୧୦୦ ମିଟର ଦୌଡ଼ରେ କାଂସ୍ୟ ଜିତିଛନ୍ତି। ମହିଳା ୮୦୦ ମିଟର ଫାଇନାଲ୍‌‌ ରେସ୍‌କୁ ଲକ୍ଷ୍ମୀପ୍ରିୟା ୨:୧୦.୮୭ ସେକେଣ୍ଡରେ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ଶ୍ରୀଲଙ୍କାର ଅଭିସେକା ପେମାସିରି (୨:୧୦.୧୭) ପ୍ରଥମ ଏବଂ ସଂସଲା ହିମାସାନି (୨:୧୨.୧୩) ତୃତୀୟ ସ୍ଥାନରେ ରହିଥିଲେ। ବାଳକ ୧୦୦ ମିଟର ଦୌଡ଼ ଫାଇନାଲ୍‌ରେ ଜୟରାମ (୧୦.୫୬ ସେକେଣ୍ଡ) କାଂସ୍ୟ ପାଇଥିଲା ବେଳେ ଶ୍ରୀଲଙ୍କାର ୱାଇଜ୍‌ସିଙ୍ଘେ ମେରୋନ୍‌ (୧୦.୪୧ ସେକେଣ୍ଡ) ସ୍ବର୍ଣ୍ଣ ଓ ୱିରାରତ୍ନେ ଦିନେଥ (୧୦.୪୯ ସେକେଣ୍ଡ) ରୌପ୍ୟ ଜିତିଥିଲେ। ୮୦୦ ମିଟର ବାଳକରେ ଭାରତର ବିନୋଦ କୁମାର (୧:୫୦.୭) ଓ ବୋପାନ୍ନା କ୍ଲାପା (୧:୫୦.୪୫) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲା ବେଳେ ଶ୍ରୀଲଙ୍କାର ସବିନ୍ଦୁ ଆୱିସ୍କା (୧:୪୯.୮୩) ସ୍ବର୍ଣ୍ଣ ଜିତିଥିଲେ। ବାଳିକା ଉଚ୍ଚ ଡିଆଁରେ ଭାରତର ପୂଜା (୧.୮୦ ମିଟର) ସାଫ୍‌ କନିଷ୍ଠ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିଲେ।

ବାଳକ ସଟ୍‌ପୁଟ୍‌ରେ ସିଦ୍ଧାର୍ଥ ଚୌଧୁରୀ (୧୯.୧୯ ମିଟର) ସାଫ୍‌ କନିଷ୍ଠ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଓ ଅନୁରାଗ ସିଂହ କଲେର (୧୮.୯୧ ମିଟର) ରୌପ୍ୟ ଜିତି ଭାରତକୁ ୧-୨ ସଫଳତା ଦେଇଥିଲେ। ତୃତୀୟ ସ୍ଥାନରେ ଶ୍ରୀଲଙ୍କାର ଜୟବୀ ରଣହିଦା (୧୫.୬୨ ମିଟର) କାଂସ୍ୟ ଜିତିଥିଲେ।

୧୦୦ ମିଟର ବାଳିକା ଫାଇନାଲ୍‌ରେ ଅବିନୟା ରାଜାରାଜନ (୧୧.୭୭ ସେକେଣ୍ଡ) ସାଫ୍‌ କନିଷ୍ଠ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଏବଂ ଭି ସୁଦୀକ୍ଷା (୧୧.୯୨ ସେକେଣ୍ଡ) ରୌପ୍ୟ ଜିତି ଭାରତକୁ ୧-୨ ସଫଳତା ଦେଇଥିଲେ। ଶ୍ରୀଲଙ୍କାର ଏସ୍‌ ୱାଇଜ୍‌ତୁଙ୍ଗାଜେ (୧୨.୦୪ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। ପ୍ରଥମ ଦିନରେ ଭାରତ ଏହି ପ୍ରତିଯୋଗିତାରେ ୯ (୩ ସ୍ବର୍ଣ୍ଣ, ୪ ରୌପ୍ୟ, ୨ କାଂସ୍ୟ) ପଦକ ପାଇଛି।

Leave a Reply

Your email address will not be published. Required fields are marked *