ସ୍ୱାସ୍ଥ୍ୟ

‘ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ’

Spread the love

‘ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ’।ସିନେମା ହଲ୍‌ଠାରୁ ଆରମ୍ଭ କରି ମଦବୋତଲରେ ମଧ୍ୟ ଆମେ ‘ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ଏକ ସତର୍କତାମୂଳକ ବାର୍ତ୍ତା ପଢ଼ିଥାଉ। ତଥାପି ମଦ ଅନ୍ୟତମ ସର୍ବାଧିକ ବ୍ୟବହୃତ ପାନୀୟର ମାନ୍ୟତା ବହନ କରୁଛି। ମଦ୍ୟପାନ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେବା ସହ ହୃଦ୍‌ଘାତ ଓ କର୍କଟ ପରି ସଂଖ୍ୟାଧିକ ରୋଗର କାରଣ ସାଜିଥାଏ। ତେବେ ଜଣେ ମଦ୍ୟପକୁ ସେଥିରୁ ହଠାତ୍‌ ବିରତ କରାଇବା ଦ୍ବାରା ବେଳେବେଳେ ତାକୁ ନିଶ୍ଚଳ ହେଲା ପରି ଅନୁଭବ ଆଣିବା ସହ ଏପରିକି ମୃତ୍ୟୁମୁଖରେ ମଧ୍ୟ ପକାଇଥାଏ। ତେଣୁ ମଦ୍ୟପାନ ତ୍ୟାଗ କରିବା ସହଜ ନୁହେଁ। ତେଣୁ ଆଜି ମଦ୍ୟପାନ ତ୍ୟାଗ କରିବାର କିଛି ସ୍ବଳ୍ପମିଆଦୀ ଓ ଦୀର୍ଘମିଆଦୀ ଉପକାର ବାବଦରେ ଜାଣିବା।
ମଦ୍ୟପାନ ଯକୃତ ରୋଗର ଏକ ମୁଖ୍ୟ କାରଣ। ଏକ ଅନୁଧ୍ୟାନ ଅନୁଯାୟୀ, ଜଣେ ମଦ ଛାଡ଼ିବାର ମାତ୍ର ମାସକ ପରେ ନଷ୍ଟ ହୋଇଥିବା ଯକୃତର ୧୫ରୁ ୨୦ ପ୍ରତିଶତ କ୍ଷତି ଭରଣା ହୋଇଯାଇଥାଏ| ମଦ୍ୟପାନ ଦ୍ବାରା ନିଦ୍ରାରେ ବିଶୃଙ୍ଖଳା ଦେଖାଦେଇ ନିଦ୍ରାହୀନତା (ଇନ୍‌ସୋମ୍ନିଆ) ପରି ରୋଗର ଶିକାର ହେବାକୁ ପଡ଼ିଥାଏ। ତେଣୁ ମଦ ତ୍ୟାଗ କରିବା ଭଲ ନିଦ ଆସିବାରେ ସାହାଯ୍ୟ କରିଥାଏ, ଯାହା ସମଗ୍ର ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ସେହିପରି ମଦରେ ଉଚ୍ଚମାନର କ୍ୟାଲୋରି ରହିଥିବାରୁ ତାହା ଓଜନ ବଢ଼ାଇଥାଏ।

ସୁତରାଂ ମଦ୍ୟପାନରୁ ବିରତ ରହିଲେ ଜଣେ ଅନାବଶ୍ୟକ ଓଜନ ହରାଇ ଶାରୀରିକ ସୁସ୍ଥତା ବଜାୟ ରଖିପାରିବ। ମଦ୍ୟପାନ ସହିତ ହୃଦ୍‌ରୋଗ ଓ କର୍କଟ ପରି ରୋଗର ସମ୍ପର୍କ ରହିଛି। ସେହିପରି ମଦ୍ୟପାନ ଦ୍ବାରା ଯକୃତର ଜୀବକୋଷଗୁଡ଼ିକ ପ୍ରଭାବିତ ହୋଇ ଯକୃତ ଜନିତ ରୋଗର କାରଣ ସାଜିଥାଏ। ତେଣୁ ମଦ୍ୟପାନକୁ ଦୂରେଇଦେଲେ ନଷ୍ଟ ହୋଇଯାଇଥିବା ଯକୃତର ମରାମତି ହୋଇପାରିବା ସହ ତାହାର କ୍ରିୟାରେ ମଧ୍ୟ ଉନ୍ନତି ଆସିଥାଏ।

ମାତ୍ରାଧିକ ମଦ ପିଇବା ଦ୍ବାରା ଶରୀରର ବିଭିନ୍ନ ତନ୍ତୁ ଗଠନ କରୁଥିବା କୋଲାଜେନ୍‌ ଓ ଇଲାଷ୍ଟିନ୍‌ ପରି ପୁଷ୍ଟିସାର ନଷ୍ଟ ହୋଇ ଅକାଳ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ। ତେଣୁ ସେଥିରୁ ବିରତ ରହିଲେ ବାର୍ଦ୍ଧକ୍ୟ ପ୍ରକ୍ରିୟା ଧିମେଇଯିବା ସହ ଚର୍ମର କୋମଳତା ମଧ୍ୟ ଫେରିଆସିପାରିବ। ମଦକୁ ପରିହାର କରିବା ଦ୍ବାରା ଶରୀରରେ ଗଚ୍ଛିତ ଅତ୍ୟଧିକ ଚର୍ବି ତରଳିଯାଇ ଫୁଲିଥିବା ଯକୃତ ସଂକୁଚିତ ହୋଇଆସେ ଏବଂ ପାକସ୍ଥଳୀର ହଜମକ୍ରିୟା ମଧ୍ୟ ଉନ୍ନତ ହୋଇଥାଏ। ସର୍ବୋପରି ଏହା ଚର୍ମକୁ ସୁସ୍ଥ ରଖି ଜଣକୁ ଯୁବସୁଲଭ ଓ ସକ୍ରିୟ ରଖିଥାଏ।

 

Leave a Reply

Your email address will not be published. Required fields are marked *