ଜାତୀୟ

ମୁକେଶ ଅମ୍ବାନୀ କିଣିଲେ ଦେଶର ପ୍ରଥମ ‘ବୋଇଙ୍ଗ୍‌ 737 MAX 9’

Spread the love

ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ କିଣିଛନ୍ତି ଦେଶର ପ୍ରଥମ ‘ବୋଇଙ୍ଗ୍‌ 737 MAX 9’।ଦୁନିଆର ସବୁଠାରୁ ମହଙ୍ଗା ଜେଟ୍‌ ମଧ୍ୟରୁ ବୋଇଙ୍ଗ 737 MAX 9 ଅନ୍ୟତମ । ଏହା ଦୁଇଟି CFMI LEAP-1B ଇଞ୍ଜିନ୍ ଦ୍ୱାରା ସଞ୍ଚାଳିତ । ଏହି ଜେଟ୍‌ ଗୋଟିଏ ଯାତ୍ରାରେ ୬,୩୫୫ ସାମୁଦ୍ରିକ ଦୂରତା ଅତିକ୍ରମ କରିପାରିବ । ଜେଟ୍‌ର ବେସ୍‌ ଦାମ୍‌ ରହିଛି ୧୧୮.୫ ମିଲିୟନ ଡଲାର । ତେବେ ଏହି ଅଲଟ୍ରା ଲଙ୍ଗ୍‌ ରେଞ୍ଜ ବିଜନେସ୍‌ ଜେଟ୍‌ର ଦାମ୍‌ ପାଖାପାଖି ୧୦୦୦ କୋଟି ଟଙ୍କା । ନିକଟରେ ଅନେକ ପରିବର୍ତ୍ତନ ଏବଂ ଉଡ଼ାଣ ପରୀକ୍ଷଣ ପରେ ଭାରତରେ ଡେଲିଭର ହୋଇଛି ବୋଇଙ୍ଗ୍‌ 737 MAX 9 ।

ବିତରଣ ପୂର୍ବରୁ ସ୍ୱିଜରଲାଣ୍ଡର ୟୁରୋ ଏୟାରପୋର୍ଟ ବେସେଲ-ମୁଲହାଉସ-ଫ୍ରିବର୍ଗ (ବିଏସଏଲ)ରେ ଏହାର କ୍ୟାବିନ ପରିବର୍ତ୍ତନ ସହ ଇଣ୍ଟେରିୟର ଅପଗ୍ରେଡ କରାଯାଇଥିଲା । ତେବେ ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଖରେ ରହିଛି ଆହୁରି ୯ଟି ପ୍ରାଇଭେଟ୍‌ ଜେଟ୍‌ର ଭଣ୍ଡାର ।

୨୦୨୩ ଏପ୍ରିଲ୍ ୧୩ରୁ ଏହି ଜେଟ ସ୍ୱିସ୍ ସୁବିଧାରେ ଥିଲା । ଭାରତକୁ ଡେଲିଭର ହେବା ପୂର୍ବରୁ ଏହା ବେସେଲ, ଜିନେଭା ଏବଂ ଲଣ୍ଡନ ଲ୍ୟୁଟନ୍ ବିମାନବନ୍ଦର ମଧ୍ୟରେ ୬ଟି ପରୀକ୍ଷଣ ଉଡ଼ାଣ ଶେଷ କରିଥିଲା । ବେସେଲରୁ ଦିଲ୍ଲୀକୁ ଅନ୍ତିମ ଉଡ଼ାଣ ୨୦୨୪ ଅଗଷ୍ଟ ୨୭ରେ ହୋଇଥିଲା । ମୋଟ ୯ ଘଣ୍ଟାରୁ ଅଧିକ ସମୟର ଏହା ଯାତ୍ରା ଥିଲା ଏବଂ ଦୂରତା ଥିଲା ୬,୨୩୪ କିଲୋମିଟର ।

ବୋଇଙ୍ଗ 737 MAX 9 ଅଗଷ୍ଟ ୨୮ରେ ଦିଲ୍ଲୀରେ ପହଞ୍ଚିଥିଲା । ବର୍ତ୍ତମାନ ଏହି ଜେଟ୍‌ ଦିଲ୍ଲୀ ବିମାନବନ୍ଦରର କାର୍ଗୋ ଟର୍ମିନାଲ ନିକଟସ୍ଥ ଏକ ରକ୍ଷଣାବେକ୍ଷଣା ଆପ୍ରୋନରେ ରହିଛି । କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖୁବଶୀଘ୍ର ଜେଟ୍‌ ମୁମ୍ବାଇରେ ଥିବା ରିଲାଏନ୍ସର ମୁଖ୍ୟାଳୟ ଅଭିମୁଖେ ଯିବ।

Leave a Reply

Your email address will not be published. Required fields are marked *