ଆଜି ବିଶ୍ୱ ସଞ୍ଚୟ ଦିବସ
ଆଜି ହେଉଛି ବିଶ୍ୱ ସଞ୍ଚୟ ଦିବସ।ସରଳ ଭାବେ କହିଲେ, ସଞ୍ଚୟ ହେଉଛି ଜଣେ ବ୍ୟକ୍ତିର ଖର୍ଚ୍ଚ ହୋଇନଥିବା ରୋଜଗାର। ବିଗତ ବର୍ଷମାନଙ୍କରେ ପିଲାମାନଙ୍କ ମଧ୍ୟରେ ଅଳ୍ପ ବୟସରୁ ଅର୍ଥ ସଞ୍ଚୟ କରିବାର ସଚେତନତା ଖୁବ୍ ବ୍ୟାପିଯାଇଛି। ଭବିଷ୍ୟତରେ ବ୍ୟବହାର ପାଇଁ ବୁଦ୍ଧିମାନ ଭାବରେ ଖର୍ଚ୍ଚ କରିବା ଏବଂ ଦକ୍ଷତାର ସହିତ ଅର୍ଥ ସଞ୍ଚୟ କରିବାର ଆବଶ୍ୟକତା ହେତୁ ଏଇ କେଇ ବର୍ଷ ମଧ୍ୟରେ ଏହି ଦିବସ ପାଳନର ଗୁରୁତ୍ବ ବୃଦ୍ଧି ପାଇଛି।
ବିଶ୍ୱ ସଞ୍ଚୟ ଦିବସ ପାଳନ ଅବସରରେ ସଞ୍ଚୟ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ। ପିଲାଦିନରୁ କୁନି କୁନି ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ସଞ୍ଚୟ ବିଷୟରେ ଜାଣିଥାନ୍ତି। ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଟଙ୍କା ସଞ୍ଚୟ କରିବାର ଆବଶ୍ୟକତା ରହିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅର୍ଥ ସଞ୍ଚୟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଣେ ଅର୍ଥ ସଞ୍ଚୟ କରି ନିଜ ପାଇଁ ରୋଜଗାରର ବ୍ୟବସ୍ଥା କରିପାରିବେ। କେବଳ ସେତିକି ନୁହେଁ, ସଞ୍ଚିତ ଅର୍ଥରେ ଜଣେ ଭଲ ଶିକ୍ଷା ପ୍ରାପ୍ତ କରିପାରିବେ।
ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ବିଶ୍ୱ ସଞ୍ଚୟ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଭାରତରେ ଏହା ପ୍ରତିବର୍ଷ ଅକ୍ଟୋବର ୩୦ରେ ପାଳନ କରାଯାଇଥାଏ। କାରଣ ୩୧ ଅକ୍ଟୋବର, ୧୯୮୪ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଏହା ଭାରତରେ ଅକ୍ଟୋବର ୩୦ ତାରିଖରେ ପାଳନ କରାଯାଉଛି।
