ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଗିରଫ ଆଶଙ୍କା ବଢ଼ିଲା
ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଗିରଫ ଆଶଙ୍କା ବଢ଼ିଯାଇଛି। କ୍ରାଇମବ୍ରାଞ୍ଚ, ଶ୍ରୀ ମିଶ୍ରଙ୍କ ସମେତ ୫ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଛି। ମାମଲା ରୁଜୁ ପରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଜେରା କରିବା ସହିତ ବୟାନ ରେକର୍ଡ କରିଛି। ତେଣୁ କୌଣସି ମୁହୂର୍ତ୍ତରେ ଏହି ପୁଲିସ ବାବୁମାନଙ୍କୁ ଗିରଫ କରିବାର ଆଶଙ୍କା ଥିବା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
କ୍ରାଇମବ୍ରାଞ୍ଚ କେସ୍ ନଂ-୧୧ରେ, ବିଏନ୍ଏସ୍ ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜୋରଦାର କରିଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ସାଇବର୍ ଥାନା ଆଇଆଇସି ବିଭୁସୁନ୍ଦର ରାଉତରାୟ ଏବଂ ଅନ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଶ୍ରୀ ମିଶ୍ରଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଜେରା କରୁଛନ୍ତି। ଅନ୍ୟପଟେ ଡିଏସ୍ପି ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, ଭରତପୁର ଥାନାରେ ସିସି କ୍ୟାମେରା ନଥିଲା।
ଭରତପୁର ଥାନା ଭିତରେ ସେନାବାହିନୀର ମେଜର ଗୁରୁବଂଶ ସିଂହ ଗୋସାଲ୍ଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମାରିବା ଓ ଆଇଆଇସି ଶ୍ରୀ ମିଶ୍ର ଯୌନ ନିର୍ଯାତନା ଦେବା ଭଳି ସଂଗିନ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଆସିବା ପରେ କମିସନରେଟ୍ ପୁଲିସ ପକ୍ଷରୁ ଥାନା ଆଇଆଇସି ଶ୍ରୀ ମିଶ୍ରଙ୍କ ସମେତ ଏସ୍ଆଇ ବୈଶାଳିନୀ ପଣ୍ଡା, ଏଏସ୍ଆଇ ସଲୀଳମୟୀ ସାହୁ, ଏଏସ୍ଆଇ ସାଗରିକା ରଥ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ପରେ ଗୁରୁବଂଶ ସିଂହ ଗୋସାଲ୍ଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଗଲା ୧୮ ତାରିଖରେ ଏହି ୫ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଥିଲା।

