ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଭାରତକୁ ମିଳିଛି ଏକ ନୂତନ ସଫଳତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଭାରତକୁ ଏକ ନୂଆ ସଫଳତା ମିଳିଛି। ଭାରତୀୟ ପ୍ରାଚୀନ କଳାକୃତି ଫେରାଇବାକୁ ନେଇ ଦୀର୍ଘଦିନ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ତାହା ଏବେ ଫଳପ୍ରଦ ହୋଇଛି।
ସୂଚନାଯୋଗ୍ୟ, କଳାକୃତି ବେଆଇନ ଚାଲାଣ ବିରୋଧରେ ଲଢ଼େଇକୁ ସୁଦୃଢ଼ କରିବା ପାଇଁ ଭାରତ-ଆମେରିକା ପୂର୍ବରୁ ଚୁକ୍ତି କରିଛନ୍ତି ଏବଂ ଏହି ପ୍ରକ୍ରିୟାରେ ଭାରତରୁ ଚୋରା ଚାଲାଣ ହୋଇଥିବା ସାମଗ୍ରୀ ଆମେରିକାରେ ଠାବ ହେବାପରେ ଏହାକୁ ଆମେରିକା ଭାରତକୁ ହସ୍ତାନ୍ତର କରୁଛି। ‘ଭାରତକୁ ଏବେ ପୁଣି ଥରେ ଆମେରିକା ୨୯୭ଟି ଅମୂଲ୍ୟ କଳାକୃତି ଫେରାଇ ଦେଇଥିବାରୁ ମୁଁ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକା ସରକାରକୁ ଧନ୍ୟବାଦ ଜଣାଉଛି’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଏହି କଳାକୃତି କେବଳ ଭାରତର ଐତିହାସିକ ଭୌତିକ ସଂସ୍କୃତିର ଅଂଶ ନୁହେଁ, ବରଂ ଏହା ସଭ୍ୟତା ଓ ଚେତନା ସହ ଜଡ଼ିତ | ଏହାକୁ ମିଶାଇ ୨୦୧୪ରୁ ଭାରତ ହାସଲ କରିଥିବା ଐତିହାସିକ କଳାକୃତି ସଂଖ୍ୟା ୬୪୦କୁ ବୃଦ୍ଧି ପାଇଥିବା ବେଳେ କେବଳ ଆମେରିକାରୁ ଫେରିଥିବା କଳାକୃତି ସଂଖ୍ୟା ୫୭୮ରେ ପହଞ୍ଚିଛି ବୋଲି ଅଧିକାରୀମାନେ କହିଛନ୍ତି।
ଅପସରା ସ୍ୟାଣ୍ଡଷ୍ଟୋନ ପ୍ରତିମୂର୍ତ୍ତି:
ଭାରତକୁ ଆସୁଥିବା କଳାକୃତି ମଧ୍ୟରେ ରହିଛି ଅପସରା ସ୍ୟାଣ୍ଡଷ୍ଟୋନ ପ୍ରତିମୂର୍ତ୍ତି। ଏହା ଦଶମ କିମ୍ବା ଏକାଦଶ ଶତାବ୍ଦୀର। ମଧ୍ୟଭାରତରୁ ଏହାକୁ ଚୋରା ଚାଲାଣ କରାଯାଇଥିଲା।
କାଂସ୍ୟ ନିର୍ମିତ ଗଣେଶ ଓ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି
ସେହିପରି ଦକ୍ଷିଣ ଭାରତର ଏକ କାଂସ୍ୟ ଗଣେଶ ପ୍ରତିମୂର୍ତ୍ତି ରହିଛି। ଏହା ସପ୍ତଦଶ କିମ୍ବା ଅଷ୍ଟାଦଶ ଶଦାବ୍ଦୀର ବୋଲି ଜଣାପଡ଼ିଛି। ଆଉ ଏକ କାଂସ୍ୟ ନିର୍ମିତ ବିଷ୍ଣୁ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଯାହା ପୂର୍ବ ଭାରତର ବୋଲି ଜଣାପଡ଼ିଛି। ଏହା ଅଷ୍ଟାଦଶ ଶତାବ୍ଦୀର। ଏହାବ୍ୟତୀତ ଅନେକ ଦୁର୍ଲଭ କଳାକୃତି ରହିଛି। ସେଗୁଡ଼ିକ ମଧ୍ୟରୁ କିଛି ଖ୍ରୀଷ୍ଟପୂର୍ବ ୨୦୦୦-୧୮୦୦ର ବୋଲି ଜଣାପଡ଼ିଛି।

