ଦିଲ୍ଲୀରେ ବଡ଼ ଧରଣର ନିଶା କାରବାର ଠାବ
ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ଦ୍ବାରା ଦକ୍ଷିଣ ଦିଲ୍ଲୀରେ ଚଢ଼ଉ କରାଯାଇ ୫୦୦ କିଲୋରୁ ଅଧିକ କୋକେନ୍ ଜବତ ହୋଇଛି। ଜବତ କୋକେନ୍ର ମୂଲ୍ୟ ୨ ହଜାର କୋଟି ଟଙ୍କାରୁ ଅଧିକ ହେବ।ବିପୁଳ ପରିମାଣର କୋକେନ୍ ଜବତ ହେବାରୁ ଜଣାପଡ଼ୁଛି ଯେ ଏହା ପଛରେ କୌଣସି ଅନ୍ତର୍ଜାତୀୟ ନିଶା କାରବାର ସିଣ୍ଡିକେଟ୍ର ସମ୍ପୃକ୍ତି ରହିଛି।
ଗତ ରବିବାର ଦିନ ଦିଲ୍ଲୀର ତିଳକ ନଗର ଅଞ୍ଚଳରୁ ୨ ଜଣ ଆଫଗାନ ନାଗରିକଙ୍କଠାରୁ ୪୦୦ ଗ୍ରାମ୍ ହେରୋଇନ ଏବଂ ୧୬୦ ଗ୍ରାମ୍ କୋକେନ୍ ଜବତ ହେବାପରେ ଆଜି ଏହି ରୢାକେଟ୍ ଠାବ ହୋଇଛି। ରବିବାର ମଧ୍ୟ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କ ନିକଟରୁ ଦିଲ୍ଲୀ କଷ୍ଟମ୍ ବିଭାଗ କର୍ମଚାରୀଙ୍କ ଦ୍ବାରା ପ୍ରାୟ ୨୪ କୋଟି ଟଙ୍କାର କୋକେନ୍ ଜବତ ହୋଇଥିଲା। ଏହି ବ୍ୟକ୍ତି ଜଣକ ଲିବେରିଆର ବୋଲି ତଦନ୍ତରୁ ଜଣାପଡ଼ିଛି।

