ଇରାନ ବନ୍ଦରରେ ଭାରତୀୟ ଯୁଦ୍ଧ ଜାହାଜ
ଭାରତୀୟ ନୌସେନାର ତିନୋଟି ଯୁଦ୍ଧଜାହାଜ ଆଇଏନ୍ଏସ୍ ଶାର୍ଦ୍ଦୁଲ, ଆଇଏନ୍ଏସ୍ ତୀର ଓ ଆଇସିଜିଏସ୍ ବୀର ପାରସ୍ୟ ଉପସାଗରରେ ଏକ ପ୍ରଶିକ୍ଷଣ ଅଭିଯାନର ଅଂଶ ଭାବରେ ମଙ୍ଗଳବାର ଇରାନର ‘ବନ୍ଦର ଆବାସ’ରେ ପହଞ୍ଚିଛନ୍ତି। ଭାରତ ଓ ଇରାନ ମଧ୍ୟରେ ବଢୁଥିବା ନୌସେନା ସହଯୋଗ ଉପରେ ଗୁରୁତ୍ୱାରୋପ କରି ଇରାନ ନୌସେନା ଜାହାଜ ଜେରେହ ଏହି ଜାହାଜଗୁଡ଼ିକୁ ସ୍ବାଗତ କରିଥିଲା। ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଭାରତୀୟ ନୌସେନା କହିଛି।
ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଏହି ମୁତୟନ କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାନ୍ୟାହୁଙ୍କୁ ଫୋନ୍ କରି ହମାସ ଓ ହେଜବୁଲ୍ଲା ସହ ଜଡ଼ିତ ସଂଘର୍ଷକୁ ବନ୍ଦ କରିବା ପାଇଁ ସଂଯମ ଓ କୂଟନୈତିକ ସମାଧାନ ଉପରେ ଗୁରୁତ୍ବାରୋପ କରିଥିଲେ।
ଭାରତୀୟ ନୌସେନା ଜାହାଜର ଏହି ଗସ୍ତ ଭାରତ ଓ ଇରାନ ମଧ୍ୟରେ ସାମୁଦ୍ରିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ନିରନ୍ତର ପ୍ରୟାସକୁ ସୂଚିତ କରୁଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଇରାନର ପ୍ରଶିକ୍ଷଣ ଜାହାଜ ବୁସେହର ଓ ଟନବ ମୁମ୍ବାଇରେ ପହଞ୍ଚିଥିଲେ। ଏହାବ୍ୟତୀତ ଇରାନର ଯୁଦ୍ଧ ଜାହାଜ ଦେନା ଫେବ୍ରୁଆରି ମାସରେ ବିଶାଖାପାଟଣାରେ ଭାରତ ଦ୍ୱାରା ଆୟୋଜିତ ମିଲନ-୨୪ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରିଥିଲା। ପାରସ୍ୟ ଉପସାଗରରେ ଭାରତର ରଣନୈତିକ ସ୍ୱାର୍ଥ ସାମରିକ ସହଯୋଗଠାରୁ ଅଧିକ ବିସ୍ତାରିତ। ଭାରତର ପ୍ରାୟ ୫୫ ପ୍ରତିଶତ ଶକ୍ତି ଆବଶ୍ୟକତା ପାରସ୍ୟ ଉପସାଗର ଦେଇ ଆମଦାନି ଦ୍ୱାରା ପୂରଣ ହୋଇଥାଏ।ଏହି ଜାହାଜ ଚଳାଚଳ ପଥରେ କୌଣସି ବାଧା ଉପୁଜିଲେ ଭାରତର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇପାରେ, କାରଣ ଏହାର ୮୦ ପ୍ରତିଶତ ଶକ୍ତି ଆବଶ୍ୟକତା ବିଦେଶରୁ ପୂରଣ ହୋଇଥାଏ। ଏହି ସାମୁଦ୍ରିକ ମାର୍ଗଗୁଡ଼ିକର ନିରାପତ୍ତା ଭାରତ ପାଇଁ ସର୍ବୋପରି।
୨୦୧୯ରେ ଓମାନ ଉପସାଗରରେ ତୈଳ ଟ୍ୟାଙ୍କର ଆକ୍ରମଣ ଭଳି ସାମୁଦ୍ରିକ ନିରାପତ୍ତା ଘଟଣାକୁ ଦୃଷ୍ଟିରେ ରଖି ଭାରତ ଆଇଏନ୍ଏସ୍ ଚେନ୍ନାଇ ଓ ଆଇଏନ୍ଏସ୍ ସୁନାୟନା ଭଳି ନୌସେନା ଜାହାଜକୁ ଏହି ଅଞ୍ଚଳରେ ପାଟ୍ରୋଲିଂ ଓ ଏହାର ଶକ୍ତି ଯୋଗାଣର ସୁରକ୍ଷା ପାଇଁ ନିୟୋଜିତ କରିଛି।

