ଆର୍ଥିକ ସ୍ଥିରତାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିପଦ , ସତର୍କ କରାଇଲେ ଆର୍ବିଆଇ ଗଭର୍ଣ୍ଣର
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବହୁଳ ବ୍ୟବହାର ଦେଶର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବାର ଢ଼େର ଆଶଙ୍କା ରହିଛି । ଏଥିଯୋଗୁ ସାଇବର ଆକ୍ରମଣ ଏବଂ ଡାଟା ଚୋରି ଭଳି ଘଟଣା ବଢ଼ିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଏଆଇ ଉପରେ ନିର୍ଭରତା ବଢ଼ୁଥିବାରୁ ଏହା ବିପଦକୁ ଡାକି ଆଣିବ । ଏଆଇ ଉପରେ ଆବଶ୍ୟକତା ଠାରୁ ବେଶି ନିର୍ଭରଶୀଳତା ଆର୍ଥିକ କ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିପାରେ ।
ନୂଆଦିଲ୍ଲୀରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଦାସ କହିଲେ, ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଏଆଇ ଏବଂ ମେଶିନ ଲର୍ଣ୍ଣିଂ ବାଣିଜ୍ୟିକ ସଂସ୍ଥା ଗୁଡିକ ନୂଆ ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ ପ୍ରତିଷ୍ଠାନ ଗୁଡିକର ଲାଭ ବଢ଼ିଛି । ଅପରପକ୍ଷେ ନୂଆ ଟେକ୍ନୋଲୋଜି ଗୁଡିକ ଆର୍ଥିକ ସ୍ଥିରତା ପ୍ରତି ବିଭିନ୍ନ ବିପଦ ସୃଷ୍ଟି କରୁଛନ୍ତି ।
ଏବେ ଏଆଇ ବ୍ୟବହାର ଦ୍ୱାରା ସାଇବର ଆକ୍ରମଣ ଏବଂ ଡାଟା ଚୋରି ଘଟଣା ଦ୍ରୁତ ଭାବେ ବୃଦ୍ଧି ହେଉଛି । ଏଭଳି ସ୍ଥିତିରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ରିସ୍କକୁ ଏଡାଇବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଆବଶ୍ୟକ । ଏବେ ଆର୍ଥିକ ସେବା କ୍ଷେତ୍ରରେ ଡିଜିଟାଲିକରଣ ଦ୍ରୁତ ଭାବେ ବୃଦ୍ଧି ହେଉଛି । ଏହା ସାରା ବିଶ୍ୱରେ ଆର୍ଥିକ କ୍ଷେତ୍ରର ଦକ୍ଷତାକୁ ବଢ଼ାଉଛି ।

