ଇତିହାସ ରଚିଲେ ଅର୍ଜୁନ ଏରିଗାଇସି
ଚେସ୍ ଅଲିମ୍ପିଆଡ୍ ଚାମ୍ପିଅନ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସି କ୍ୟାରିୟରରେ ଆଉ ଏକ ସଫଳ ଫର୍ଦ୍ଦ ଯୋଡ଼ିଛନ୍ତି । ସେ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ୨୮୦୦ ଇଏଲ୍ଓ ରେଟିଂ ପଏଣ୍ଟ ଅତିକ୍ରମ କରି ଇତିହାସ ରଚିଛନ୍ତି । ୫ଥର ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ଲାଭ କରିଛନ୍ତି ।
ୟୁରୋପିଆନ ଚେସ୍ କ୍ଲବ୍ କପ୍-୨୦୨୪ରେ ଆଲ୍କାଲୟଡ୍ ପକ୍ଷରୁ ଖେଳୁଥିବା ଏରିଗାଇସି ପଞ୍ଚମ ରାଉଣ୍ଡ୍ରେ ରୁଷିଆର ଦିମିତ୍ରି ଆନ୍ଦ୍ରେଇକିନଙ୍କୁ ହରାଇ ୨୮୦୦ ଇଏଲ୍ଓ ରେଟିଂ ପଏଣ୍ଟ ଅତିକ୍ରମ କରିଥିଲେ । ଫିଡେ ମାନ୍ୟତା ତାଲିକା (କ୍ଲାସିକାଲ) ରେ ସେ ତୃତୀୟ ସ୍ଥାନରେ ଥିବାବେଳେ ତାଙ୍କ ରେଟିଂ ପଏଣ୍ଟ ୨୮୦୨.୧ ରହିଛି । ବିଶ୍ୱର ୧୬ତମ ଖେଳାଳି ଭାବେ ଏରିଗାଇସି ୨୮୦୦ ରେଟିଂ ପଏଣ୍ଟ ମାର୍କ ଛୁଇଁଛନ୍ତି ।
ଏରିଗାଇସି ଗତ ଚେସ୍ ଅଲିମ୍ପିଆଡ୍ରେ ଭାରତକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ବ୍ୟକ୍ତିଗତ ଏବଂ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

