ଇନ୍ସ୍ୟୁରାନ୍ସ ନାଁରେ ଡିଜିଟାଲ ଠକେଇ, କ୍ରେଡିଟ୍ କାର୍ଡରୁ ଟଙ୍କା ଲୁଟ୍
ଗାଡି ଇନ୍ସ୍ୟୁରାନ୍ସ ନାଁରେ ଡିଜିଟାଲ ଠକେଇ । ନିଜ କ୍ରେଡିଟ୍ କାର୍ଡରୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇର ଶିକାର ହେଲେ ଜୟପୁରର ଯୁବକ ଭି.ନାଗେଶ୍ବର । ପି.ହେମନ୍ତ କୁମାର ନାମକ ଜଣେ ଯୁବକ ଚଂଚକତା କରି ନାଗେଶ୍ବରଙ୍କ ଠାରୁ ପ୍ରାୟ ୧ ଲକ୍ଷ ୫ ହଜାର ଟଙ୍କା ଠକି ନେଇଥିବା ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ନାଗେଶ୍ବରଙ୍କ ଗାଡି ଇନ୍ସ୍ୟୁରାନ୍ସ କରାଇ ଦେବାକୁ ପି.ହେମନ୍ତ କୁମାର ପ୍ରଥମେ ନଗଦ ୨୫ ହଜାର ଟଙ୍କା ନେଇଥିଲେ । ପରେ ଅନ୍ ଲାଇନ ପେମେଣ୍ଟ କଲେ ଇନ୍ସ୍ୟୁରାନ୍ସରେ ରିହାତି ମିଳିବ କହିଥିଲେ । ତେଣୁ ହେମନ୍ତଙ୍କ କଥାରେ ବିଶ୍ୱାସ କରି ନାଗେଶ୍ବର ନିଜର କ୍ରେଡିଟ୍ କାର୍ଡର ନମ୍ବର ଓ ପିନ୍ ଦେଇ ଦେଇଥିଲେ । ଏହାର ସୁଯୋଗ ନେଇ ହେମନ୍ତ ନାଗେଶ୍ବରଙ୍କ କ୍ରେଡିଟ୍ କାର୍ଡରୁ ୫ ଥରରେ ପ୍ରାୟ ୮୦ ହଜାର ଓ ନଗଦ ୨୫ ହଜାର ସହ ଏକ ଲକ୍ଷ ଟଙ୍କା ଠକି ନେଇଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଏହି ଘଟଣା ପରଠାରୁ ଅଭିଯୁକ୍ତ ଜୟପୁରରୁ ଚମ୍ପଟ ମାରିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ବିଭିନ୍ନ ସମୟରେ ଲୋକମାନେ ଅନ୍ ଲାଇନ ଠକେଇର ଶୀକାର ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି । କ୍ରେଡିଟ୍ ଓ ଡେବିଟ୍ କାର୍ଡର ନମ୍ବର ଓ ଓଟିପି କାହା ସହ ସେୟାର ନକରିବାକୁ ବ୍ୟାଙ୍କ ଓ ପୋଲିସ ଲୋକଙ୍କୁ ବାର ବାର ସଚେତନତା କରୁଥିଲେ ବି ଲୋକମାନେ ଅଜ୍ଞତା ବଶତଃ ଏହା ଅନ୍ୟମାନଙ୍କ ସହ ସେୟାର କରି ଏପରି ଠକାମୀର ଶିକାର ହେଉଛନ୍ତି ।
