ଦେଶ ବିଦେଶ

ସମୃଦ୍ଧ ବିଶ୍ୱ ଗଢ଼ିବା ପାଇଁ ଜି ୨୦ ରାଷ୍ଟ୍ର ସମୂହ ପ୍ରତିଶ୍ରୁତିବଦ୍ଧ

Spread the love

ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ କଲେ ମାନବ ଜାତିର ପ୍ରଗତିରେ ହିଁ ନିବେଶ ହୋଇଥାଏ । ଜି-୨୦ର ରାଷ୍ଟ୍ର ସମୂହ ଓ ସଦସ୍ୟମାନେ ଜ୍ଞାନ, କୌଶଳ, ସାମାଜିକ ଆର୍ଥିକ ଦୂରତାକୁ ହ୍ରାସ କରିବା ସହ ଜୀବନବ୍ୟାପୀ ଶିକ୍ଷା ଗ୍ରହଣର ସୁଯୋଗ ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ସହ ଏକ ସମୃଦ୍ଧ ବିଶ୍ୱ ଗଢିବା ପାଇଁ ଆଗେଇ ଆସିବା ଖୁସିର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁନେରେ ଅନୁଷ୍ଠିତ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ଫଳାଫଳର ପ୍ରତିବଦ୍ଧତାକୁ ଦୋହରାଇଛି । ସବୁ ଦେଶ ନାଗରିକଙ୍କୁ ଶିକ୍ଷା ଏବଂ ଦକ୍ଷତା ଉପରେ ଅଧିକ ପ୍ରଧାନ୍ୟ ଦେବା ସହ ନାଗରିକଙ୍କ ଶିକ୍ଷା ଆହରଣକୁ ଜୀବନବ୍ୟାପୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବାକୁ ହେବ । ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧି ମଣ୍ଡଳି ଓ ୟୁନିସ୍କୋ, ୟୁନିସେଫ ଓ ଓଇସିଡି ସହ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜି -୨୦ ବୈଠକ ମନ୍ତ୍ରୀସ୍ତରୀୟ ଆଲୋଚନାରୁ ଉର୍ଦ୍ଧ୍ୱକୁ ଯାଇ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ପରିସଂସ୍ଥାନର ୫.୨ କୋଟିରୁ ଉର୍ଦ୍ଧ୍ୱ ଷ୍ଟେକହୋଲଡର ଯୋଡି ହେବା ଖୁସିର ବିଷୟ । ଏହା ହିଁ ବାସ୍ତବରେ ବସୁଧୈବ କୁଟୁମ୍ବକମ କଥାବସ୍ତୁ ତଥା ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ଆତ୍ମାକୁ ପ୍ରତିଫଳିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ମାନବ ଜାତିର କଲ୍ୟାଣ ଏବଂ ଗୁଣାତ୍ମକ ଶିକ୍ଷା ସହ ସୁଶାସନ ହେଉଛି ଭାରତର ଉଦ୍ଦେଶ୍ୟ । ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ସମଗ୍ର ବିଶ୍ୱର ଶିଶୁ ଓ ଯୁବପିଢି ସାମଗ୍ରିକ ଶିକ୍ଷାରୁ କିପରି ଲାଭ ପାଇବେ ଏବଂ ଏକବିଂଶ ଶତାବ୍ଦୀର କୌଶଳରେ ସଶକ୍ତ ହେବେ । ବ୍ରାଜିଲର ଅଧ୍ୟକ୍ଷତାରେ ଆଗାମୀ ଦିନରେ ହେବାକୁ ଥିବା ଜି-୨୦ ବୈଠକକୁ ଭାରତ ସମର୍ଥନ କରୁଛି । ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନକୁ ଚିହ୍ନଟ କରିବାରେ ଭାରତ ବ୍ରାଜିଲ ସହ କାର୍ଯ୍ୟ କରିବ ତଥା ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପକୁ ସକରାତ୍ମକ ପରିବର୍ତ୍ତନର ପ୍ରେରକ ଭାବେ ଉପସ୍ଥାପନା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ୟୋସେଫ୍ ଅଲ୍ ବେନୟାନଙ୍କ ସହ ଉଚ୍ଚ ଶିକ୍ଷାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ତଥା ବିଶେଷ ଭାବରେ ଉର୍ଜା ଓ ପେଟ୍ରୋକେମିକାଲ କ୍ଷେତ୍ରରେ ସୁଯୋଗ ପ୍ରଦାନ କରିବା ଦିଗରେ ଆଲୋଚନା କରିଥିଲେ । ଅନୁରୂପ ଭାବେ ଜାପାନର ଶିକ୍ଷା ମନ୍ତ୍ରୀ ନାଗୋକା କେକୋଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଭାଗିତା ନେଇ ସମ୍ପର୍କକୁ ମଜଭୂତ କରିବା ନେଇ ଚର୍ଚ୍ଚା ହୋଇଥିଲା । ଭାରତର ପ୍ରତିଭାଶାଳୀ ମାନବ ସମ୍ବଳ ଓ ଜାପାନର କ୍ଷମତା ଉଭୟ ଦେଶ ପାଇଁ ଅନେକ ସମ୍ଭାବନା ରଖିଛି । ଭାରତ ଏବଂ ଜାପାନ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ କୌଶଳ, ପାଠ୍ୟକ୍ରମର ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିପାରିବେ । ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଲେଜ୍ ଅଫ୍ ଇଞ୍ଜିନିୟରିଂ ପୁନେ ଟେକ୍ନୋଲୋଜି ୟୁନିଭର୍ସିଟିରେ ଇନୋଭେସନ, ଡିଜାଇନ ଓ ଏଣ୍ଟରପ୍ରିନେୟରସିପ ବୁଟ୍ କ୍ୟାମ୍ପର ଉଦଘାଟନ କରିଥିଲେ । ଏହି ବୁଟ୍ କ୍ୟାମ୍ପ ଦେଶର ଯୁବପିଢିଙ୍କୁ ବଡ଼ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ପାଇଁ ଅନୁପ୍ରାଣିତ କରିବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବାରେ ସହାୟକ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *