ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ
ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ମାସ ୨୯ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ପୂରା ରାଜଧାନୀକୁ ଏବେଠାରୁ ହାଇଆଲର୍ଟରେ ରଖାଯାଇଛି।ସମଗ୍ର ଭୁବନେଶ୍ବରକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏହି ସମୟରେ କାଳେ କୌଣସି ଅଘଟଣ ଘଟିବ, ତାହାକୁ ନଜରରେ ରଖି ୮୫ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ ହେବେ। ସବୁ ଗଳି କନ୍ଦି ଉପରେ ବି ପୁଲିସ ନଜର ରହିବ।ଏଇଥିପାଇଁ ଯେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଉଛନ୍ତି। ମୋଦୀ ତିନି ଦିନ ଭୁବନେଶ୍ବରରେ ରହିବେ। ଭୁବନେଶ୍ବରରେ ରୋଡ୍-ସୋ ସହିତ ବିଜେପି କାର୍ଯ୍ୟାଳୟରେ ବି ତାଙ୍କର ବୈଠକ ରହିଛି। ପ୍ରଥମ ଦିନ ଅର୍ଥାତ୍ ୨୯ ତାରିଖ ଦିନ କାର୍ଯ୍ୟକ୍ରମକୁ ଗୃହମନ୍ତ୍ରୀ ଅମିତ ଶାହ ଉଦ୍ଘାଟନ କରିବେ। ଉଦ୍ଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ରହିବେ। ଏହି ସମ୍ମିଳନୀ ପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ୫ କମ୍ପାନି ସିଆର୍ପିଏଫ୍ ଓ ୫ କମ୍ପାନି ବିଏସ୍ଏଫ୍ ବି ନିୟୋଜିତ ହେବେ। ଏହି ସମୟରେ ଯେମିତି ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିଲାଗି ଏଡିଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଛି। ପୂରା ଭୁବନେଶ୍ବରର ଟ୍ରାଫିକ୍ ତାଙ୍କ ନଜରରେ ରହିବ।
