ବନ୍ଦ ପଡ଼ିଛି ଗ୍ରାମୀଣ ଶିଳ୍ପ ଉଦ୍ୟାନ
ସ୍ଥାନୀୟ ଚାଷୀ ସେମାନଙ୍କ ଉତ୍ପାଦିତ ପନିବରିବା ଓ ଅନ୍ୟାନ୍ୟ ଜିନିଷ ବିକିବାକୁ ସୁବିଧା କରିବା ସମେତ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଗତ ସରକାର ସମୟରେ ଡିଏମ୍ଏଫ୍ ପାଣ୍ଠିରୁ ୨ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚକରି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯାଇଥିଲା। ପ୍ରକଳ୍ପ କାମ ଗତ ୨୦୨୨ ସୁଦ୍ଧା ଶେଷ ହୋଇଥିଲା। ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିସରରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକିବାକୁ ପିଣ୍ଡି ନିର୍ମାଣ କରାଯାଇଛି। ଏହାଛଡ଼ା ଦୁଇଟି ବୃ୍ହତ ଗୋଦାମଘର ନିର୍ମାଣ ହୋଇଛି। ଗୋଟିଏ ଗୋଦାମଗୃହକୁ କୁଆରମୁଣ୍ଡା ଲ୍ୟାମ୍ପସ୍କୁ ଧାନ ରଖିବାକୁ ଦିଆଯାଇଛି। ଅନ୍ୟ ଗୋଦାମକୁ ଭାଗଭାଗ କରି ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ବାଣ୍ଟି ଦିଆଯାଇଛି। ସେଠାରେ ମହିଳାମାନେ ଅଗରବତି, ଜୋତା କାରଖାନା ସହ ଅନ୍ୟାନ୍ୟ ୟୁନିଟ୍ ବସାଇଛନ୍ତି। ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ କିଣାହୋଇ ପଡ଼ିଛି। କିନ୍ତୁ ବିଜୁଳି ସଂଯୋଗ ହୋଇ ନଥିବାରୁ ତାହା ଚାଲିପାରୁନି ଓ ଯନ୍ତ୍ରପାତି ଖତଖାଉଛି। ଗ୍ରାମୀଣ ଶିଳ୍ପ ଉଦ୍ୟାନ କାର୍ଯ୍ୟକ୍ଷମ ହୋଇପାରୁନି। ଶିଳ୍ପ ଉଦ୍ୟାନ ଜଗିବା ପାଇଁ ସୁରକ୍ଷାଗୃହ ନିର୍ମାଣ ହୋଇଛି। କିନ୍ତୁ ଜଣେ ହେଲେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦିଆଯାଇନି।ଦୁଇବର୍ଷ ଧରି ଗ୍ରାମୀଣ ଶିଳ୍ପ ଉଦ୍ୟାନ ବନ୍ଦ ପଡ଼ିଥିବାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଉଚ୍ଚ ଅଧିକାରୀ ହସ୍ତକ୍ଷେପ ନ କଲେ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଚରାଭୂଇଁ ପାଲଟିଯିବାର ସମ୍ଭାବନା ରହିଛି।

