ଗାଳି ସହିନପାରି ଘର ଛାଡ଼ିଥିଲେ ବୃଦ୍ଧ
ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଟକରା ରେଙ୍ଗାଲାବେଢ଼ା ଗ୍ରାମ ନିବାସୀ ଜୋହାନ କାଣ୍ଡୁଲାନା (୬୦) ଦୀର୍ଘ ଦୁଇମାସ ଧରି ଏକ କଲଭର୍ଟ ତଳେ ରହିଥିଲେ । ତାଙ୍କୁ ସୋମବାର ବିଳମ୍ବିତ ରାତିରେ ଟେନ୍ସା ଫାଣ୍ଡି ପୁଲିସ୍ ଉଦ୍ଧାର କରିଛି । ପରିବାର ଲୋକଙ୍କ ଗାଳି ସହି ନପାରି ସେ ଘରୁ ପଳାଇ ଆସିଥିବା ପୁଲିସ୍କୁ କହିଛନ୍ତି । ଜୋହାନଙ୍କ ୨ ପୁଅ ଓ ୨ ଝିଅ । ଝିଅମାନେ ବିବାହ କରିସାରିଛନ୍ତି । ୧୦ ବର୍ଷ ପୂର୍ବେ ପତ୍ନୀଙ୍କ ପରଲୋକ ଘଟିଛି । ପତ୍ନୀଙ୍କ ମୃତ୍ୟୁ ପରେ ପୁଅମାନଙ୍କ ସହ ଜୋହାନ ଏଲାବେକା ଗ୍ରାମରେ ରହୁଥିବା ଭଉଣୀ ରାହିଲ ଓ ଭିଣୋଇ ଷ୍ଟିଫେନ ହରୋଙ୍କ ଘରକୁ ଚାଲି ଆସିଥିଲେ । ଗୁଜୁରାଣ ମେଣ୍ଟାଇବାକୁ ଜୋହାନ୍ ଟେନ୍ସାରେ ରହି ଛୋଟମୋଟ ମୂଲ ମଜୁରି କାମ କରୁଥିଲେ । ଗତ ମେ’ ମାସରେ ଘରକୁ ଆସିଥିଲେ ଓ ଗୋଟିଏ ଦିନ ରହି ପଳାଇ ଥିଲେ । ଆଉ ଘରକୁ ଆସିନଥିଲେ ।

