ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖି ରାଜ୍ୟବାସୀଙ୍କୁ ସମ୍ୱୋଧନ କରିଥିଲେ । ସର୍ବପ୍ରଥମେ ଏହି ପବିତ୍ର ମାଟିରୁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣିପାତ କରିଥିଲେ । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଅବସରରେ ସେଠାରେ ଥିବା ସମସ୍ତ ଶ୍ରୋତାଙ୍କୁ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ପ୍ରଣାମ ଜଣାଇଥିଲେ ।୧୯୪୯ ମସିହାରେ ଏକ ଆୟୁର୍ବେଦିକ ବିଦ୍ୟାପୀଠ ଭାବେ ଏହି ଅନୁଷ୍ଠାନ ଗଢି ଉଠିଥିଲା । ଆଜି ଏକ ଆଦର୍ଶ ମହାବିଦ୍ୟାଳୟ ଭାବରେ ଏହି ଅନୁଷ୍ଠାନ ଦେଶର ଏକ ମଡେଲ ଇନ୍ଷ୍ଟିଚ୍ୟୁଟ୍ ଭାବେ ସୁନାମ ହାସଲ କରିଛି । ଆୟୁର୍ବେଦରେ ଉଚ୍ଚ ଶିକ୍ଷା ପାଇଁ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକର୍ଷଣର ଏକ କେନ୍ଦ୍ର ହୋଇପାରିଛି । ଏହି ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ଆଜି ଆୟୁର୍ବେଦ ବିଶେଷଜ୍ଞ ଭାବେ ସାରା ରାଜ୍ୟ ଓ ଦେଶରେ ପ୍ରସିଦ୍ଧି ଅର୍ଜନ କରି ପାରିଛନ୍ତି । ଆୟୁର୍ବେଦ ଏକ ପୁରାତନ ଓ ସମୃଦ୍ଧ ଚିକିତ୍ସା ବିଜ୍ଞାନ। ଭାରତର ପ୍ରାଚୀନ ଋଷି ଓ ଆଚାର୍ଯ୍ୟ ଯଥା ଚରକ, ସୁଶୃତ ଓ ବାଗ୍ଭଟ୍ଟ ରଚିତ ସଂହିତାଦ୍ୱାରା ଏହି ବିଜ୍ଞାନ ପରିପୃଷ୍ଟ। ଦୀର୍ଘ ୫ ହଜାର ବର୍ଷରୁ ଅଧିକ ସମୟ ଧରି ଏହା ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି।

