ୟେମେନ ବିମାନବନ୍ଦରରେ ବୋମାମାଡ଼
ୟେମେନର ରାଜଧାନୀ ସନା ସ୍ଥିତ ବିମାନବନ୍ଦରରେ ଇସ୍ରାଏଲ ଗତକାଲି ଅତର୍କିତ ବୋମାମାଡ଼ କରିଥିବା ବେଳେ ଏହି ଆକ୍ରମଣରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରୋସ ଆଧାନମ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟେଡ୍ରୋସ୍ ବିମାନବନ୍ଦରରେ ଥିବା ସମୟରେ ଇସ୍ରାଏଲର ଯୁଦ୍ଧ ବିମାନ ସେଠାରେ ବୋମାମାଡ଼ କରିଥିଲା। ଏହି ଆକ୍ରମଣରେ ସେ ଯାତ୍ରା କରିବାକୁ ଥିବା ବିମାନର ଅନ୍ୟ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବିମାନ କର୍ମଚାରୀ ଆହତ ହୋଇଛନ୍ତି। ଟେଡ୍ରୋସ୍ ଏକ୍ସରେ ପୋଷ୍ଟ କରି ଏହି ବିମାନ ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ‘ଆମେ ବିମାନରେ ଚଢ଼ିବାର ୨ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ବୋମା ମାଡ଼ ହୋଇଥିଲା। ଆକ୍ରମଣରେ ରନ୍ୱେ କ୍ଷତିଗ୍ରସ୍ତ ହୋଇଛି। ମୁଁ ଅଳ୍ପକେ ବର୍ତ୍ତି ଯାଇଛି’ ବୋଲି ଟେଡ୍ରୋସ୍ କହିଛନ୍ତି।

