ପିକନିକ ବୁଲିବାକୁ ଆସି ବୁଡ଼ିଗଲେ ଛାତ୍ର
ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି |ଜଣେ ଛାତ୍ର ସାଙ୍ଗମାନଙ୍କ ସହ ପିକନିକ କରିବାକୁ ଆସିଥିଲେ । ଆଉ ଏଇ ପିକନିକ ଯେ ତାଙ୍କ ଶେଷ ପିକନିକ ହେବ ସେ କେବେ ବି ଭାବି ନଥିଲେ । ସୁନ୍ଦର ସ୍ଥାନ ଦେଖି ଫଟୋ ଉଠାଇବା ପାଇଁ ବାହାରିଥିଲେ ଛାତ୍ର । କିନ୍ତୁ ସାମାନ୍ୟ ଅସାବଧାନତା କାରଣରୁ ଜଳପ୍ରପାତରେ ପଡ଼ି କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ । ସାଙ୍ଗ ବୁଡ଼ିଯାଇଥିବା ଜାଣିପାରି ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାପରେ ଆରମ୍ଭ ହୋଇଥିଲା ଖୋଜାଖୋଜି ।
ପ୍ରାୟ ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ପିକନିକ ଆସିଥିବାବେଳେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗାଁର ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ(୧୭)।ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘଟଣା ଘଟିଥିବା ବେଳେ ଆଜି ସକାଳ ପ୍ରାୟ ୮ଟାରେ ମୃତଦେହ ପାଣି ଭିତରୁ ଉଦ୍ଧାର ହୋଇଛି । ବ୍ୟବଚ୍ଛେଦ ପାଇଁ ମୃତଦେହ ହସ୍ପିଟାଲକୁ ପଠାଯାଇଛି ।

