ଆରମ୍ଭ ହେଲା ଏକାମ୍ର ଉତ୍ସବ
ଶୀତୁଆ ସକାଳେ ଜୁମ୍ବା ଡ୍ୟାନ୍ସ ତାଳେ ତାଳେ ତଥା ଫିଟନେସ୍ ମନ୍ତ୍ରରୁ ଆରମ୍ଭ ହୋଇଥିଲା ପାର୍କ ଉତ୍ସବ। ରାଜଧାନୀର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କ ଭଳି ପ୍ରମୁଖ ପାର୍କରେ ସ୍ୱାସ୍ଥ୍ୟ, ସଂସ୍କୃତି, ସୃଜନଶୀଳତା ଓ ମନୋରଞ୍ଜନର ଝଲକ ଦେଖିବାକୁ ମିଳିଥିଲା। ସକାଳେ ଯୋଗ, ଜୁମ୍ବାର ପ୍ରଶିକ୍ଷଣ ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖିବାର ପରାମର୍ଶ ମିଳିଥିଲା ଏଥିରେ ଅନିନ୍ଦିତା ପରିଡ଼ା, ସୋନାଲିସା ପଣ୍ଡା, କୁମାର ମୟୂର, ବି. ଯୋଗେନ୍ଦ୍ର, ଜ୍ୟୋତିରେଖା ପଲେଇ ପ୍ରମୁଖ ପ୍ରଶିକ୍ଷକମାନେ ସାମିଲ ହୋଇଥିଲେ। ସେହିପରି ସନ୍ଧ୍ୟାରେ ଆଇଜି ପାର୍କରେ ଗାୟକ ସ୍ୱପ୍ନଜିତ, ଓଲିଉଡ଼ ଅଭିନେତା ଶୁଭାଶିଷ ଶର୍ମା, ଷ୍ଟୋରି ଟେଲର ମୀରା ଦାସଙ୍କ ସଙ୍ଗେ ଝୁମିଥିଲେ ଦର୍ଶକ।
ରବିବାର ଥିବାରୁ ଏକାମ୍ର ଉତ୍ସବରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଖାଓ ଗଳି ଆଜି ଏକାମ୍ର ହାଟକୁ ଉଠି ଆସିଥିଲା। କିଏ ୯୯ ଭେଜରୁ ରୋଲ୍ ଓ ଚାଓମିନ ଖାଇବାରେ ବ୍ୟସ୍ତ ତ’ କିଏ ସଫ୍ଟ୍ଡ୍ରିଙ୍ଗ୍ସ ପିଇବାକୁ କୁପନ୍ କାଟି ଧାଡ଼ିରେ ଛିଡ଼ା ହୋଇଛି। ତେବେ ଏସବୁ ମଧ୍ୟରେ ପତ୍ରପୋଡ଼ାର ମାଟି ହାଣ୍ଡି ମଟନ, ମୁଡ଼ି ଓ ଶାଳ ପତ୍ର ପୋଡ଼ା ମଟନ ଖାଇବାକୁ ସବୁଠାରୁ ଅଧିକ ଭିଡ଼ ଜମିଥିଲା। ସେହିପରି ରାଜଧାନୀର ବିଭିନ୍ନ ତାରକା ହୋଟେଲ ପକ୍ଷରୁ ଦହିବରା ଠାରୁ ଆରମ୍ଭ କରି ମୋଗଲାଇ, ରାଜସ୍ଥାନୀ ଓ ଚାଇନିଜ ଖାଦ୍ୟ ଓ ମିଠା ଦ୍ରବ୍ୟ ଖାଇବାକୁ ମଧ୍ୟ ଯୁବ ପିଢ଼ି ଧାଡ଼ି ଲଗେଇଥିଲେ। ବିଶେଷ କରି ଛୋଲେ କୁଲଚେ, ମୋମୋ, ଚିଜ କେକ, ବିରିୟାନି ଆଦି ପ୍ରମୁଖ ଆକର୍ଷଣ ସାଜିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂହ, ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରମୁଖ ସଚିବ ଉଷା ପାଢ଼ୀ ମଧ୍ୟ ‘ଆମ ବ୍ୟଞ୍ଜନ’ ଷ୍ଟଲରେ ମଧ୍ୟ ଖାଇଥିଲେ।

