ଜମିଲାଣି ଜଟଣୀ ବାଣ ବେପାର
ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାତ୍ୟା ‘ଦାନା’ ପରେ ଏବେ ଜଟଣୀରେ ବାଣ ବେପାର ଜମିଲାଣି। ଏଠାରେ ହୋଲସେଲ୍ ଦରରେ ତଥା ବଜାର ଅପେକ୍ଷା କମ୍ ଦାମରେ ବାଣ ମିଳୁଥିବାରୁ ଦୋକାନୀ ଓ ଗ୍ରାହକମାନେ କିଣିବାକୁ ଏଠାକୁ ଛୁଟି ଆସିଥାନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ବାଣ ସହିତ ତାମିଲନାଡ଼ୁର ଶିବକାଶୀରୁ ବିପୁଳ ବାଣ ଏଠାକୁ ଆମଦାନୀ ହୋଇଥାଏ। ଅପରପକ୍ଷରେ ବର୍ଷସାରା ବିବାହ, ବ୍ରତ ଓ ଯାନିଯାତ୍ରା ପାଇଁ ଲୋକେ ଏଠାରୁ ବାଣ କିଣନ୍ତି। ତେବେ ବିଶେଷ କରି ପାର୍ବଣ ସମୟରେ ବେପାର ଭଲ ହୁଏ। ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଭୁବନେଶ୍ୱର, କଟକ ଭଳି ଅନେକ ଜିଲ୍ଲାରୁ ବ୍ୟବସାୟୀ ଏଠାରୁ ବାଣ କିଣି ଖୁଚୁରା ବେପାର କରନ୍ତି।
ଅସ୍ଥାୟୀ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଜଟଣୀ ଶରତ ପାଇକରାୟ ଷ୍ଟାଡିୟମ୍ରେ ଅନୁମତି ଦିଆଯାଇଛି। ସରକାରୀ ଗାଇଡଲାଇନ୍ ଅନୁସାରେ ବାଣ ବ୍ୟବସାୟ କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଜଟଣୀରେ ଖୁଚୁରା ବାଣ ବ୍ୟବସାୟ ପାଇଁ ୮୬ଜଣ ବ୍ୟବସାୟୀଙ୍କୁ ପୁଲିସ ଲାଇସେନ୍ସ ପ୍ରଦାନ କରିଛି।

