୩୦ ଫୁଟ୍ ଗଭୀର ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍
କେରଳରେ ଖାଇକୁ ଖସିଲା ବସ୍ । କେରଳର ଇଡୁକ୍କି ଜିଲ୍ଲାର ମୁଣ୍ଡକୟମରେ KSRTCର ଏକ ବସ୍ ଗଭୀର ଖାଇକୁ ଖସିପଡ଼ିଛି । ଯାତ୍ରୀବାହୀ ବସଟି ଖାଇକୁ ଖସିପଡ଼ିବା ଫଳରେ ଘଟଣାସ୍ଥଳରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ବସରେ ୩୪ ଜଣ ଯାତ୍ରୀ ଥିବାବେଳେ ୩ ଜଣ କର୍ମଚାରୀ ଥିଲେ ।
ସମସ୍ତ ଯାତ୍ରୀ ମଭେଲିକ୍କାରା ଅଞ୍ଚଳର ବାସିନ୍ଦା । ତାମିଲନାଡ଼ୁର ତଞ୍ଜାୱୁରରେ ବୁଲାବୁଲି ସାରି ଏହି ବସ୍ ମଭେଲିକ୍କାରା ଫେରୁଥିଲା । ସୋମବାର ସକାଳ ପ୍ରାୟ ୬ଟା ୧୫ରେ ଏହି ଦୁର୍ଘଟଣା ଘଟିଛି । ବସଟି ଏକ ମୋଡରେ ନିୟନ୍ତ୍ରଣ ହରାଇ ବସିବାରୁ ଏହା ୩୦ ଫୁଟ୍ ଗଭୀର ଖାଇକୁ ଖସିପଡ଼ିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।ମୃତଦେହଗୁଡ଼ିକୁ ମୁଣ୍ଡକୟମର ଏକ ଘରୋଇ ହସ୍ପିଟାଲ ପଠାଯାଇଛି । ଏଠାରେ ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

