ପ୍ରବାସୀ ଭାରତୀୟଙ୍କୁ ପରସା ଯିବ ଓଡ଼ିଆ ଖାଦ୍ୟ
ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଜନତା ମଇଦାନରେ ସକାଳ ୧୦ ଟାରୁ ଆରମ୍ଭ ହେବ ସମ୍ମିଳନୀ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଶତାଧିକ ପ୍ରବାସୀ ଭାରତୀୟ ଆସି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏକାଠି ହେବେ ବିଶ୍ବରୁ ୪ ହଜାର ପ୍ରବାସୀ ଭାରତୀୟ । ୭୦ ରାଷ୍ଟ୍ରରୁ ପ୍ରବାସୀ ଯୋଗଦେବାର କାର୍ଯ୍ୟକ୍ରମ ରହଛି । ପ୍ରବାସୀ ଭାରତୀୟଙ୍କୁ ପରସା ଯିବ ଓଡ଼ିଆ ଖାଦ୍ୟ । ସନ୍ତୁଳା, ଡାଲମାଠୁ ଆରମ୍ଭ କରି ନିମାପଡ଼ା ଝିଲି ଓ କଟକ ଦହିବରା ଖାଇବେ ପ୍ରବାସୀ ଭାରତୀୟ । ଜନତା ମଇଦାନରେ ୩ ଦିନ ଲାଗିବ ରହିବ ପ୍ରବାସୀଙ୍କ ଗହଳି ।
ଦିନରାତି ଜମିବ ବିଭିନ୍ନ କାର୍ଯ୍ୟକ୍ରମ । ଆଉ ସେଇଠି ଅତିଥି ସତ୍କାର ମଧ୍ୟ କରାଯିବ। ଲଞ୍ଚ ଓ ଡିନର ବ୍ୟବସ୍ଥାରେ ଖାସ୍ ଓଡ଼ିଆ ଖାଦ୍ୟ ପରସା ଯିବ । ଓଡ଼ିଆ ଖାଦ୍ୟରେ ଖାସ୍ ରହିବ କଦଳୀ ମଞ୍ଜା ସୁପ୍, ଛତୁ ବାଟି ବସା, ଛତୁ ବରା, ସନ୍ତୁଳା, ଡାଲମା, ଟମାଟୋ ଚଟଣୀ, ମାଛ ବେସର, ମାଟି ହାଣ୍ଡି ଖାସି ମାଂସ, କୁକୁଡ଼ା କସା ଭଳି ଅନେକ ପ୍ରକାର ବ୍ୟଞ୍ଜନ ରହିଛି । ଏହା ସହିତ ପ୍ରବାସୀଙ୍କ ପାଇଁ ମାଣ୍ଡିଆର ବି ଅନେକ ଖାଦ୍ୟ ରହିବ । ସକାଳ ଜଳଖିଆ ପ୍ଲେଟରୁ ଆରମ୍ଭ କରି ଲଞ୍ଚ ଓ ଡିନରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ସରକାର ।

