ପ୍ରବାସୀ ଭାରତୀୟ ମହାକୁମ୍ଭ ପାଇଁ ଝଲୁସିଛି ରାଜଧାନୀ ଭୁବନେଶ୍ବର
ପ୍ରବାସୀ ଭାରତୀୟ ମହାକୁମ୍ଭ ପାଇଁ ଝଲୁସିଛି ରାଜଧାନୀ ଭୁବନେଶ୍ବର । ପ୍ରାୟ ୭ ହଜାର ପ୍ରବାସୀ ଭାରତୀୟଙ୍କ ହେବ ସମାଗମ । ଏଆରଆଇ ମହାକୁମ୍ଭ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ପ୍ରବାସୀ ମହାକୁମ୍ଭ ପାଇଁ ଅଭେଦ୍ୟ ସୁରକ୍ଷା ଦୁର୍ଗ ପାଲଟିଛି ଭୁବନେଶ୍ବର । ରାଜ୍ୟ ପୋଲିସ ଓ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁରକ୍ଷାରେ ୮୦ ପ୍ଲାଟନ ଫୋର୍ସ ସହ ସିଏପିଏଫ ଓ ଆଇଆରବି ବାଟାଲିୟନ ମୁତୟନ ହୋଇଛନ୍ତି । ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ବର । ଫୋକସରେ ରହିବ ଆତଙ୍କବାଦୀ ଆକ୍ରମଣ ମୁକାବିଲା । ଏଥିପାଇଁ ସ୍ପେସିଆଲ ଟାକ୍ଟିକାଲ ୟୁନିଟ୍ -STU କମାଣ୍ଡୋ ନିୟୋଜିତ ହୋଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ପ୍ରବାସୀ ଓ ଡେଲିଗେଟସ ରହିବାକୁ ଥିବା ହୋଟେଲରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଆଜି ସଂଧ୍ୟାରେ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ ତାରିଖରେ ସମାରୋହକୁ ସେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ସେହିପରି ଶେଷ ଦିନରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟର କଳା, ସଂସ୍କୃତି ତଥା ଖାଦ୍ୟର ମଜା ନେବେ ଅତିଥି ।ଅର୍ଥନୈତିକ ଦୃଷ୍ଟିରୁ ପ୍ରବାସୀ ସମ୍ମିଳନୀ ରାଜ୍ୟକୁ ସମୃଦ୍ଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

