ବିଶ୍ବର ପ୍ରଥମ ରୋବୋଟିକ୍ ହାତ ନିର୍ମାଣ କଲା ଆଇଆଇଟି କାନ୍ପୁର
ମସ୍ତିଷ୍କାଘାତ ରୋଗୀଙ୍କୁ ଅଧିକ ପ୍ରଭାବଶାଳୀ ଭାବେ ମସ୍ତିଷ୍କକୁ ସଂକେତ ପ୍ରେରଣ ସହ ପୁନଃ ଗତିଶୀଳତା ପ୍ରଦାନ କରିବାରେ ସହାୟତା କରିବା ପାଇଁ ଏହି ପ୍ରୌଦ୍ୟୋଗିକ ପ୍ରତିଷ୍ଠାନ ବିଶ୍ୱର ପ୍ରଥମ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ)-ଆଧାରିତ ରୋବୋଟିକ୍ ହାତ ଏକ୍ସୋସ୍କେଲେସନ୍ (ହାତରେ ପିନ୍ଧାଯାଉଥିବା ଯାନ୍ତ୍ରିକ ଉପକରଣ) ବିକଶିତ କରିଛି। ଏହି ଅନନ୍ୟ ଡିଭାଇସ୍ ଫିଜିଓ ଥେରାପି ଏବଂ ମସ୍ତିଷ୍କ ଏହାକୁ ଗ୍ରହଣ କରିବା କ୍ଷେତ୍ରରେ ଥିବା ଦୂରତା ମଧ୍ୟରେ ସେତୁ ସ୍ଥାପନ କରେ। ପୁନର୍ବାସ ସମୟରେ ରୋଗୀଙ୍କ ମସ୍ତିଷ୍କକୁ ସକ୍ରିୟ ଭାବରେ ସାମିଲ କରେ। ଏହା ତିନୋଟି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ଏକତ୍ର କରି ଏକ ନିୟନ୍ତ୍ରଣ ପ୍ରଣାଳୀ କାର୍ୟ୍ୟକାରୀ କରେ। ପ୍ରଥମଟି ଏକ ମସ୍ତିଷ୍କ-କମ୍ପ୍ୟୁଟର ଇଣ୍ଟରଫେସ୍, ଯାହା ମସ୍ତିଷ୍କର ମୋଟର କର୍ଟେକ୍ସରୁ ସଙ୍କେତ ଗୁଡ଼ିକୁ ଗ୍ରହଣ କରେ। ଦ୍ବିତୀୟଟି ଏକ ରୋବୋଟିକ୍ ହାତ ଏକ୍ସୋସ୍କେଲେସନ୍ ଯାହା ଚିକିତ୍ସାଗତ ଗତିବିଧିକୁ ସହଜ କରିଥାଏ। ତୃତୀୟଟି ଏକ ସଫ୍ଟୱେର୍ ଯାହା ମସ୍ତିଷ୍କ ସଙ୍କେତ ଗୁଡ଼ିକ ଏକ୍ସୋସ୍କେଲେସନ୍ ସହିତ ସମନ୍ୱୟ ରକ୍ଷା କରେ। ଏହି ଡିଭାଇସ୍ ମସ୍ତିଷ୍କ କାର୍ଯ୍ୟକଳାପକୁ ଶାରୀରିକ ଗତିବିଧି ସହିତ ସଂଯୋଗ କରି, ନିଶ୍ଚିତ କରେ ଯେ ମସ୍ତିଷ୍କ, ମାଂସପେଶୀ ଏବଂ ଦୃଶ୍ୟ ସମନ୍ୱୟରେ କାର୍ୟ୍ୟ କରେ। ଫଳରେ ରୋଗୀ ଦ୍ରୁତ ଆରୋଗ୍ୟ ଲାଭ କରନ୍ତି। ଭାରତର ରିଜେନ୍ସି ହସ୍ପିଟାଲ ଏବଂ ବ୍ରିଟେନ୍ର ଅଲଷ୍ଟର ବିଶ୍ୱବିଦ୍ୟାଳୟ ସହଯୋଗରେ ଏହାର କ୍ଲିନିକାଲ ପରୀକ୍ଷଣରେ ଆଶାନୁରୂପ ଫଳ ମିଳିଛି।

