ବାର୍ରେ ପୁଣି ଗଣ୍ଡଗୋଳ, କମେଣ୍ଟ ମରାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ଥମୁନି ବାରରେ ଗଣ୍ଡଗୋଳ । କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହେଲା ବାର୍। କମେଣ୍ଟ ମରାକୁ ନେଇ ହେଲା ସଂଘବଦ୍ଧ ଆକ୍ରମଣ। ଲହୁ ଲୁହାଣ ହୋଇ ପ୍ରଥମେ ଥାନା ଓ ପରେ ମେଡିକାଲରେ ଭର୍ତ୍ତି ହେଲେ ଯୁବକ। ଭୁବନେଶ୍ୱର ଇନଫୋସିଟି ଥାନା ରିବୋର୍ନ ବାରରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି । ଖବର ଅନୁଯାୟୀ, କିଛି ଦିନ ପରେ ପୁଣି ଅଶାନ୍ତ ରାଜଧାନୀ ବାର୍ । ବିଳମ୍ବିତ ରାତିରେ ଇନ୍ଫୋସିଟି ଥାନା ଅଧୀନରେ ରିବୋର୍ନ ବାର୍ରେ କମେଣ୍ଟ ମରାକୁ ନେଇ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଫାଟିଥିବା ବେଳେ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଆହତ ଯୁବକଙ୍କ ନାଁ ସଲମାନ୍ ବଟ୍ ହୋଇଥିବା ବେଳେ ସ୍ଥାନୀୟ ଇନ୍ଫୋସିଟି ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇନାହିଁ। ତେବେ କମିଶନରେଟ ପୁଲିସ୍ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବାର୍ ଗୁଡ଼ିକ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି। କିଛି ଦିନ ପୂର୍ବରୁ ପୁଲିସ୍ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ରାଜଧାନୀରେ ଥିବା ବାର୍ ପାଇଁ ସ୍ପେଶାଲ୍ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଥିଲା । ଏହାସହ ଦୁଇଟି ବାରକୁ ସିଲ୍ କରିବା ପାଇଁ ଅବକାରୀ ବିଭାଗକୁ ଚିଠି ଲେଖିଥିଲା କମିଶନରେଟ ପୁଲିସ୍। କିନ୍ତୁ ଦିନ ଗଡି ଚାଲିବା ସହ ବାରକୁ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ଚିଠି ପାଇ ଚୁପ୍ ବସିଛି ଅବକାରୀ ବିଭାଗ । ତେବେ କଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ, ସେନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
