ମହାକୁମ୍ଭ ମେଳାରେ ସିଲିଣ୍ଡର ବିସ୍ଫୋରଣରୁ ଭୟାବହ ଅଗ୍ନିକାଣ୍ଡ
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ । ମେଳା ଅଞ୍ଚଳରେ ବହୁ ଦୂର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି । ନିଆଁର ତେଜ ଏତେ ଯେ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ।ମେଳା ଅଞ୍ଚଳର ସେକ୍ଟର-୫ସ୍ଥିତ କ୍ୟାମ୍ପରେ ଏହି ଅଗ୍ନିକାଣ୍ଡ ଘଟିଛି । ୬ ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଛି ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ କୁହାଯାଉଛି ଯେ ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଛି । ପୋଲିସ ଏବଂ ଏନଡିଆରଏଫ୍ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଟେଣ୍ଟରେ ଖାଦ୍ୟ ପ୍ରସ୍ତୁତି ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି । କିନ୍ତୁ ଏହା ନିଶ୍ଚିତ ହୋଇ ନାହିଁ ।ଅଗ୍ନିକାଣ୍ଡକୁ ନେଇ ଶ୍ରଦ୍ଧାଳୁମାନେ ଭୟଭୀତ ହୋଇପଡ଼ିଛନ୍ତି । ଲୋକମାନଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।ଏଥିରେ କେହି ମୃତାହତ ହୋଇଥିବାର ଖବର ନାହିଁ ।

