ଅପରାଜୟ ରାଜନୀତିରେ ପୂର୍ଣ୍ଣଚ୍ଛେଦ; ୫୦ ବର୍ଷ ଧରିଥିଲେ ସକ୍ରିୟ, ୨ଥର ମୁଖ୍ୟମନ୍ତ୍ରୀ, ୧୨ଥର ବିଧାୟକ ହୋଇଥିଲେ ଚାଣ୍ଡି
କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ । ମଙ୍ଗଳବାର ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବେଙ୍ଗାଳୁରୁରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୫୦ ବର୍ଷ ଧରି କେରଳ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓମେନ । ଦୁଇ ଥର କେରଳର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୧୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜନୈତିକ କ୍ୟାରିୟରରେ ବହୁ ପଦ ପଦବୀରେ ରହି ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି । ଓମେନ ଚାଣ୍ଡି ୧୯୭୦ ପ୍ରଥମ ଥର ପୁଥୁପଲ୍ଲୀ ଆସନରୁ ୨୬ ବର୍ଷ ବୟସରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାରେ ପହଞ୍ଚିଥିଲେ । ସେବେ ଠାରୁ ୫ ଦଶନ୍ଧି ଧରି ତାଙ୍କ ରାଜନୀତିରେ ପରାସ୍ତ ନାହିଁ । ଏପର୍ଯ୍ୟନ୍ତ ୧୨ ବିଧାୟକ ଭବେ ନିର୍ବାଚିତ ହୋଇଛନ୍ତି । ଶେଷ ଥର ପାଇଁ ୨୦୨୧ରେ ବିଧାନସଭା ନିର୍ବାଚନ ଲଢିଥିଲେ । ଓମେନ ଚାଣ୍ଡି ୨ଥର କେରଳର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୦୪ରୁ ୨୦୦୬ ଏବଂ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କେରଳ ଭାର ସମ୍ଭାଳିଥିଲେ । ସେହିପରି ୨୦୦୬ରୁ ୨୦୧୧ ଯାଏଁ ବିଭାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଛନ୍ତି । ୫୦ ବର୍ଷ ରାଜନୀତି କ୍ୟାରିୟରରେ ଦୁଇଟି ଘୋଟାଲା ତାଙ୍କ ନାଁରେ ଆସିଛି । କେରଳର ଅର୍ଥମନ୍ତ୍ରୀ ଥିବା ସମୟରେ ପାମୋଲେନ ସ୍କାମ୍ ଏବଂ କେରଳ ସୋଲାର ସ୍କାମ ତାଙ୍କ ନାଁରେ ଆସିଥିଲା । ୧୩ ଅକ୍ଟୋବର ୧୯୪୩ରେ କେରଳର କୋଟାୟମ ଜିଲ୍ଲାରେ ଓମେନ ଚାଣ୍ଡି ଜନ୍ମଗ୍ରହଣ କରିଥିଲେ । ତାଙ୍କ ହେଉଛନ୍ତି କିଓ ଚାଣ୍ଡି ଏବଂ ମା’ ବେବି ଚାଣ୍ଡି । କଲେଜ ପାଠପଢ଼ା ସମୟରୁ ସେ ରାଜନୀତିରେ ସକ୍ରିୟ ଥିଲେ । ସିଏମଏମ କଲେଜରେ କଳାରେ ସ୍ନାତକ ପଢୁଥିବା ସମୟରେ ପଲିଟିକାଲ୍ ଆକ୍ଟିଭିଟିରେ ପାଦ ଦେଇଥିଲେ । ଏହା ପରେ ସେ ଏର୍ଣ୍ଣକୁଲମ ଲ’ କଲେଜରେ ଏଲଏଲବି କରିଥିଲେ ।
